ଅଳ୍ପକେ ବର୍ତି ଯାଇଛନ୍ତି ଇଣ୍ଡିଗୋ ବିମାନର ୧୮୪ ଯାତ୍ରୀ । ଦିଲ୍ଲୀ ବିମାନ ବନ୍ଦରରେ ଶୁକ୍ରବାର ରାତିରେ ବିମାନ ଉଡାଣ ଭରୁଥିବା ବେଳେ ବିମାନରେ ନିଆଁ ଲାଗିଯାଇଥିଲା । ବିମାନ ଟେକ୍ ଅଫ କରିବାର କିଛି ସେକେଣ୍ଡ ପୂର୍ବରୁ ବିମାନର ଇଞ୍ଜିନରେ ନିଆଁ ଲାଗିଯାଇଥିବା ଜଣାପଡିଥିଲା । ଜଣେ ଯାତ୍ରୀ ନିଆଁ ଲାଗିବାର ଭିଡିଓ ଟୁଇଟରରେ ସେୟାର କରିଥିବା ଦେଖିବାକୁୁ ମିଳିଛି । ଯେଉଁଥିରେ ବିମାନର ଇଞ୍ଜିନରେ ନିଆଁ ଲାଗିଯାଇଥିବା ବେଳେ ଲୋକେ ଭୟଭୀତ ହୋଇପଡିଥିବା ଦେଖିବାକୁ ମିଳିଛି । ସୌଭାଗ୍ୟ ବସତଃ ବିମାନଟି ଉଡାଣ ଭରିବା ପୂର୍ବରୁ ଏହା ଜଣାପଡିଯିବାରୁ ଏକ ବଡ ଅଘଟଣରୁ ବର୍ତି ଯାଇଛି ।

ସୂଚନା ମୁତାବକ ଗତକାଲି ରାତି ୯ଟା ୪୫ ମିନିଟ୍ ସମୟରେ ଇଣ୍ଡିଗୋ ବିମାନ ୬ଇ-୨୧୩ ଦିଲ୍ଲୀରୁ ବାଙ୍ଗାଲୁର ପାଇଁ ଉଡାଣ ଭରିଥିଲା । ହେଲେ ରନୱେରେ କିଛି ସମୟ ଚାଲିବା ପରେ ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ଜଣେ ଯାତ୍ରୀ ପ୍ରିୟଙ୍କା କୁମାରୀ ବିମାନରେ ନିଆଁ ଲାଗିଥିବାର ଭିଡିଓ ସେୟାର କରିଥିଲେ । ବିମାନର ଡାହାଣ ପଟ ଇଞ୍ଜିନରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା । ନିଆଁ ଲାଗିଥିବା ଜାଣିବା ପରେ ପାଇଲଟ ବିମାନକୁ ଅଟକାଇ ଦେଇଥିଲେ । ଘଟଣା ସ୍ଥଳେ ଅଗ୍ନିଶମ ବିଭାଗ ଟିମ୍ ପହଂଚି ନିଆଁକୁ ଆୟତ କରିଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ସେମାନଙ୍କୁ ରାତି ୧୧ଟାରେ ଅନ୍ୟ ଏକ ବିମାନରେ ବାଙ୍ଗାଲୁର ନିଆଯାଇଛି । ବିମାନ ଉଢାଣ ଭରିବାର ପ୍ରାୟ ୫ରୁ ୭ ସେକେଣ୍ଡ ପୂର୍ବରୁ ନିଆଁ ଲାଗିଥିବା ଜଣାପଡିବାରୁ ପାଇଲଟ ବିମାନଟିକୁ ଟେକ ଅଫ୍ କରିନଥିଲେ ଫଳରେ ଏକ ବଡ ଅଘଟଣ ଟଳିଯାଇଛି ।