ଆଜି ପବିତ୍ର ମହାଳୟା। ବିଭିନ୍ନ ଶକ୍ତିପୀଠରେ ମଧ୍ୟ ମା’ଙ୍କୁ ସ୍ୱତନ୍ତ୍ର ବେଶରେ ସଜ୍ଜିତ କରାଯାଇ ପୂଜାର୍ଚ୍ଚନା କରାଯାଉଛି । ଆଜି ହେଉଛି ସେହିଦିନ ଯେବେ ପିତୃପୁରୁଷଙ୍କୁ ପିଣ୍ଡଦାନ ଭଳି ପରମ୍ପରା ଉତ୍କଳୀୟ ସଂସ୍କୃତିରେ ଦେଖିବାକୁ ମିଳିଥାଏ । ଆଜି ମହାଳୟା ଅମାବାସ୍ୟାରେ ପିତୃକୁଳ ଓ ମାତୃକୁଳକୁ ଆଜି ପୁତ୍ରମାନେ ପିଣ୍ଡ ଦାନ କରନ୍ତି। ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦାଠାରୁ ଆରମ୍ଭ ହୋଇଥିବା ପିତୃପକ୍ଷଙ୍କ ପିଣ୍ଡ ଦାନର ଶେଷ ଦିନ ହେଉଛି ପବିତ୍ର ମହାଳୟା । ଏହି ପିତୃପୁରୁଷଙ୍କ ପାଇଁ ଶ୍ରାଦ୍ଧକୁ ମୌଳାଶ୍ରାଦ୍ଧ ମଧ୍ୟ କୁହାଯାଇଥାଏ । ତେଣୁ ଆଜି ଶ୍ରୀକ୍ଷେତ୍ରର ତୀର୍ଥ ପୁଷ୍କରିଣୀ, ମହୋଦଧି ସମେତ ଶ୍ରୀମନ୍ଦିରର ଉତ୍ତରଦ୍ୱାର ପଟେ ପିଣ୍ଡଦାନ ପାଇଁ ବେଶ୍ ଭିଡ ଦେଖିବାକୁ ମିଳିଛି । ଆଜିଠାରୁ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ଆରମ୍ଭ ହୋଇଛି ନବଦିନବ୍ୟାପି ଶାକ୍ତ ଗୁଣ୍ଡିଚା ଯାତ୍ରା । ଶାରଦୀୟ ଦୁର୍ଗାପୂଜା ଅବସରରେ ପ୍ରଭୁ ମାଧବ ଦେବୀ ଦୁର୍ଗାଙ୍କୁ ସଙ୍ଗରେ ନେଇ ଗୁପ୍ତରେ ଗୁଣ୍ଡିଚା ଯାତ୍ରା କରିଥାନ୍ତି ।