ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପୁରୀ ପହଞ୍ଚି ସାରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏହାପରେ ପୁରୀସ୍ଥିତ ଶ୍ରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବେ। ମଧ୍ୟାହ୍ନ ୧୨ଟାରେ ସେଠାରୁ ବାହାରି ପୁରୀ ରାଜଭବନ ଠାରେ ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନ ୩ଟା ୩୦ମିନିଟ ସମୟରେ ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେବେ। ନୌସେନା ଦିବସ ପାଇଁ ପୁରୀର ବ୍ଲୁ ଫ୍ଲାଗ୍ ବେଳାଭୂମି ସଜେଇ ହୋଇଛି। ନୌସେନାମାନଙ୍କର ପରାକ୍ରମ ଦେଖିବ ସାରା ବିଶ୍ଵ। ଆଜି ରାତିରେ ପୁରୀ ରାଜଭବନ ଠାରେ ରାଷ୍ଟ୍ରପତିଙ୍କ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି।
ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପାଇଁ ରାଜଧାନୀଠୁ ପୁରୀ ପର୍ଯ୍ୟନ୍ତ ସୁରକ୍ଷାବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୁରୀର ସମସ୍ତ ସ୍କୁଲ ମଧ୍ୟ ବନ୍ଦ କରିଛି ଜିଲ୍ଲାପ୍ରଶାସନ।