ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର । କାର୍ତ୍ତିକ ପୂର୍ଣ୍ଣିମାର ସକାଳୁ, ପ୍ରତିଟି ଓଡିଆ ସ୍ନାନ ସାରି କଦଳୀ ପଟୁଆ ଆଉ ଡଙ୍ଗା ଭସେଇ ଧର୍ମ ମାସ କାର୍ତ୍ତିକର ଶୁଭ ମନାସନ୍ତି । ଥୁରୁଥୁରୁ ଶୀତ ହେଉଥାଏ, ପାଟିରୁ ଭସ ଭସ ଧୁଆଁ ବାହାରୁଥାଏ । ଆଉ ଏତିକି ବେଳେ ପୋଖରୀ, ଗାଡିଆ, ନଦୀ କୂଳରେ ହୁଳହୁଳି ପକେଇ, ଗୀତ ଗାଇ ଗାଇ ସମସ୍ତେ ଭସେଇ ଦିଅନ୍ତି ପୁଣ୍ୟର ଡଙ୍ଗା ।
କାର୍ତ୍ତିକ ପୂର୍ଣ୍ଣିମାର ପ୍ରତ୍ୟୁଷ ଆରମ୍ଭ ହୁଏ ପବିତ୍ରତାରୁ । ଆଷାଢ, କାର୍ତ୍ତିକ, ମାଘ ଆଉ ବୈଶାଖ । ଏ ଚାରିମାସ ହେଉଛି ସୂର୍ଯ୍ୟଙ୍କର ଅୟନାନ୍ତ କାଳ । ତେଣୁ ଏଇ ଚାରି ମାସରେ ସୂର୍ଯ୍ୟଦେବଙ୍କ ଉପାସନା କାରଣୁ ଏହାକୁ ଧର୍ମର ମାସ ଭାବେ ଧରାଯାଏ । ଆଉ ଏଇ ଧର୍ମ ମାସ କାର୍ତ୍ତିକ ସହ ଓଡିଆଙ୍କର ରହିଛି କାଇଁ କେତେ କାଳର ସମ୍ପର୍କ ।
ଦିନେ ସାଧବପୁଅ ମାନେ ବୋଇତରେ ଜିନିଷ ନେଇ ଯାଉଥିଲେ ସୁଦୂର । ସାତ ଦରିଆ ତେର ନଈ ପାର ହେଇ, ଜାଭାଠୁ ବାଲି, ସୁମାତ୍ରାରୁ ଏବେକାର ଇଣ୍ଡୋନେସିଆରେ ବେପାର ବଣିଜ କରୁଥିଲେ ଆମ ଓଡିଆ ପୁଅ । ରେଶମୀ ପାଟ, ସୁଗନ୍ଧ ଦ୍ରବ୍ୟ, କାରିଗରୀ ଶିଳ୍ପ ଭଳି କେତେ କଣ ଜିନିଷ ଧରି, ବୋଇତରେ ସାଧବ ପୁଅ ଯାଉଥିଲେ କାହିଁ କେତେ ଦୂର । ଆଉ ସାଧବ ବୋହୁ ମାନେ ମଙ୍ଗ କୋଣରେ ମଙ୍ଗଳା ବନ୍ଦେଇ ସାଧବ ପୁଅଙ୍କୁ ଦେଉଥିଲେ ଶେଷ ମେଲାଣି ।
ସେତେବେଳ ସମୟରେ ପାଲ ଟଣା ବୋଇତ ସବୁ ଉତ୍ତରା ପବନରେ ଦରିଆ ପାରି ହୁଅନ୍ତି । ଆଉ ବଣିଜ ଶେଷ ହେଲେ, ଆଷାଢ ଆରମ୍ଭର ପଶ୍ଚିମା ପବନରେ କୂଳ ଫେରନ୍ତା ହୁଅନ୍ତି । ଯେଉଁ ପରମ୍ପରା ଆଜି ବି ଆମ କଟକ ବାଲିଯାତ୍ରାରେ ଦେଖିବାକୁ ମିଳେ । ଆଜି ବି ପ୍ରତିବର୍ଷ ବାଲିଯାତ୍ରାରେ ଦେଖିବାକୁ ମିଳେ ବୋଇତ ବନ୍ଦାଣ ଉତ୍ସବ । ହଜାର ହଜାର ଲୋକଙ୍କ ଗହଳି ଭିତରେ, ବୋଇତ ବନ୍ଦେଇ ସାଧବ ପୁଅଙ୍କୁ ମନେ ପକାନ୍ତି ପ୍ରତିଟି ଓଡିଆ । ଯାହା ଆମ ଓଡିଆ ପରମ୍ପରା ଆଉ ଗୌରବମୟ ଇତିହାସକୁ ବିଶ୍ୱ ଦରବାରରେ ଦେଖାଇଥାଏ ।
ଅତୀତ ଉକ୍ରଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନ କରେ ବାଲିଯାତ୍ରା । ଯାହା ଆମ ନୌବାଣିଜ୍ୟ ପରମ୍ପରାକୁ ସାରା ବିଶ୍ୱକୁ ଦେଖେଇଥାଏ । ଖାଲି ସେତିକି ନୁହେଁ, ଆମ ତଅପୋଇ କିମ୍ବଦନ୍ତୀରେ ମଧ୍ୟ ଆମେ ସାଧବ ପୁଅଙ୍କ ଗାଥା ଶୁଣିଥାଉ । ଯାହା ଆଜି ବି ଖୁଦୁରୁକୁଣୀ ଓଷାଗୀତରେ ଝିଅ ବୋହୁମାନେ ଗାଇଥାନ୍ତି ଆଉ ଶୁଣିଥାନ୍ତି ।
ଓଡିଆରେ ଆଶ୍ୱିନ ମାସ ପରେ, ମାର୍ଗଶୀର ମାସ ପୂର୍ବରୁ ପଡେ ଧର୍ମ ମାସ କାର୍ତ୍ତିକ । ପୋଥି ପୁରାଣରେ ଏ ମାସକୁ ଶ୍ରେଷ୍ଠ ମାସ କୁହାଯାଉଥିବାବେଳେ, ଏ ମାସରେ ଶ୍ରୀକ୍ଷେତ୍ରରେ ହବିଷ ପାଳନ୍ତି ହବିଷିଆଳି । ଆଉ କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭସେଇ ହବିଷିଆଳି ନିଜ ବ୍ରତ ଉଜାନ୍ତି । ଆଉ ମାସକ ଧର୍ମକୁ ଅର୍ଜନ କରିଥାନ୍ତି । ଯାହା ଆଜି ବି ଏ ଆ କା ମା ବୈ ଗୀତରେ ଶୁଣିବାକୁ ମିଳେ ।