କରୋନା ବେଳେ ମଧ୍ୟାହ୍ଣ ଭୋଜନ ଟଙ୍କା ଖାଇଥିଲେ ଶିକ୍ଷକ; ବିଇଓଙ୍କୁ ଘେରିଲେ ଅଭିଭାବକ

କୋଭିଡ ସମୟରେ ସମସ୍ତ ବିଦ୍ୟାଳୟ ବନ୍ଦ ଥିବାରୁ ସରକାରଙ୍କ ଦ୍ୱାରା ମଧ୍ୟାହ୍ଣ ଭୋଜନ ବାବାଦକୁ ଛାତ୍ରଛାତ୍ରୀମାନଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଉଥିଲା। ହେଲେ ଏସବୁ ଅର୍ଥକୁ ତଞ୍ଚକତା କରି ବ୍ୟାପକ ଘୋଟାଲା ହୋଇଥିବା ଜଣାପଡ଼ିଛି। ଏଭଳି ଘଟଣା ନୀଳଗିରି ବ୍ଲକ ଅଧୀନ ଧୋବଶିଳା ପ୍ରାଥମିକ ବିଦ୍ୟାଳୟରେ ଘଟିଥିବା ଅଭିଯୋଗ ହୋଇଛି। ଖବର ଅନୁସାରେ, କୋଭିଡ ବେଳେ ସ୍କୁଲ ବନ୍ଦ ସମୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ୮୯୦ ଟଙ୍କା ଓ ଷଷ୍ଠ, ସପ୍ତମ ଛାତ୍ରଛାତ୍ରୀଙ୍କୁ ୧୫୧୦ ଟଙ୍କା (ରନ୍ଧା ଖାଦ୍ୟ ପାଇଁ) ଦୁଇକିସ୍ତିରେ ଟଙ୍କା ଦେବାକୁ ନିର୍ଦ୍ଦେଶ ଥିଲା। ହେଲେ ନକଲି ଦସ୍ତଖତ କରି ହଜାର ହଜାର ଟଙ୍କା ଆତ୍ମସାତ କରାହୋଇଥିବା ଅଭିଯୋଗ ହୋଇଛି। ଗାଁ ଲୋକମାନେ ଏନେଇ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଅଭିଯୋଗ କରିବା ସହ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି।

ଫଳରେ ସାଂସଦଙ୍କ ନିର୍ଦେଶରେ ତାଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଅଭିଭାବକଙ୍କ ସହିତ ଆଲୋଚନା କରି ନୀଳଗିରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସମସ୍ତ ଅଭିଯୋଗର ଲିଖିତ ପ୍ରମାଣ ଦେଖାଇବା ସହ ଅଭିଭାବକମାନେ ବିଇଓଙ୍କୁ ଘେରିଥିଲେ।ତୁରନ୍ତ ସେମାନଙ୍କ ବକେୟା ଟଙ୍କା ଦେବା ସହ ନିର୍ଦ୍ଧିଷ୍ଟ ସମୟ ଭିତରେ ତଦନ୍ତ ଶେଷକରି ଏଭଳି ଘୃଣ୍ୟ କାମରେ ଲିପ୍ତଥିବା ଶିକ୍ଷକ ଓ ଅନ୍ୟ ଅଧିକାରୀଙ୍କ ଉପରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି। ତେବେ ବିଇଓ ଘଟଣାକୁ ଗୁରୁତର ସହ ନେଇ ତୁରନ୍ତ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *