ଭୁବନେଶ୍ୱର ଜନତା ମୈଦାନରେ ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି । ପ୍ରଥମଥର ପାଇଁ ଓଡ଼ିଶାରେ ହେବାକୁଥିବା ପ୍ରବାସୀ ଭାରତୀୟ ଦିବସ ସମ୍ମେଳନକୁ ବିଶାଳ ଓ ଭବ୍ୟ କରିବାକୁ ଜୋରଦାର ଆୟୋଜନ କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଏଥିପାଇଁ ଜନତା ମୈଦାନରେ ଛିଡ଼ା ହୋଇଛି ବଡ଼ବଡ଼ ହ୍ୟାଙ୍ଗର । ଯାହା ଭାରତୀୟଙ୍କ ବିଦେଶ ଯାତ୍ରାର ଇତିହାସକୁ ବର୍ଣ୍ଣନା କରୁଛି । କେବେଠୁ ଭାରତୀୟମାନେ ବିଦେଶକୁ ଯାତ୍ରା କଲେ । ଶ୍ରମିକ ଭାବେ ବାହାରକୁ ଯାଇ, କିଭଳି ରାଜନୀତିଠୁ ଆରମ୍ଭ କରି ଅର୍ଥନୀତି ପ୍ରତିଟି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି ତାହାକୁ ଦର୍ଶାଉଛି ହ୍ୟାଙ୍ଗର । ସେହିପରି ଏଲ୍ଇଡି ମାଧ୍ୟମରେ ଓଡ଼ିଶାର ଐତିହ୍ୟ, ପରମ୍ପରାକୁ ପ୍ରଦର୍ଶନ କରି ବିଶ୍ୱସ୍ତରରେ ଏହାର ପ୍ରଚାର ପ୍ରସାର କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର।
ଦୁଇଦିନ ପାଇଁ ଟ୍ରାଫିକ କଟକଣା।ଜାନୁଆରୀ ୮ରୁ ୧୦ ପର୍ଯ୍ୟନ୍ତ ୨ ଦିନ ପାଇଁ ଟ୍ରାଫିକ୍ ଆଡଭାଇଜରି ଜାରି କରିଛି କମିଶନରେଟ୍ ପୋଲିସ । ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ପାଇଁ ଟ୍ରାଫିକ ଆଡଭାଇଜରି ଜାରି କରାଯାଇଛି । ନିର୍ଦ୍ଦିଷ୍ଟ ସମୟ ଓ ଅଞ୍ଚଳ ପାଇଁ ଟ୍ରାଫିକ କଟକଣା ଜାରି ହୋଇଛି । ୮ ତାରିଖ ସନ୍ଧ୍ୟା ୭ଟା୫୦ରୁ ୮ଟା୨୦ ପର୍ଯ୍ୟନ୍ତ ଏୟାରପୋର୍ଟ ଛକ- ହସ୍ପିଟାଲ ଛକ, ଏଜି ଛକ, ବାମ ମୋଡ, ରାଜଭବନ ରାସ୍ତା ବନ୍ଦ ରହିବ।