ଓ୍ୱାଶିଂଟନ,୧୪/୧୦ : ଆମେରିକାରେ ଥମୁନି ଅଶାନ୍ତି । ଆମେରିକାର କାରୋଲିନାରେ ଗୁଳିକାଣ୍ଡ ଘଟି ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କେତେକ ଆହତ ହୋଇଥିବା ସୂଚନା ରହିଛି । ମୃତକଙ୍କ ମଧ୍ୟରୁ ଜଣେ ପୋଲିସ କର୍ମଚାରୀ ବି ଅଛନ୍ତି । ଏହି ଘଟଣା ଉତ୍ତର କାରୋଲିନାର ରାଲେଘି ଅଞ୍ଚଳର ଅଟେ । ଉତ୍ତର କାରୋଲିନାର ମେୟର ଏନ ବାଲ୍ଡବିନ ଏହି ସୂଚନା ଦେଇଛନ୍ତି ।

ଆମେରିକୀୟ ଏଜେନ୍ସି ପକ୍ଷରୁ କୁହାଯାଇଛି କି, ସନ୍ଧ୍ୟା ସମୟରେ ନେୟୁସ ନଦୀ ଗ୍ରୀନଓ୍ବେ ନିକଟରେ ଗୁଳିକାଣ୍ଡ ଘଟିଥିଲା । ଆକ୍ରମଣକାରୀର ବୟସ ୧୩ରୁ ୧୬ବର୍ଷ ମଧ୍ୟରେ ଥିବାବେଳେ ତାଙ୍କ ନିକଟରେ ଏକ ଲମ୍ବା ବନ୍ଧୁକ ଥିଲା । ଆହତମାନଙ୍କୁ ଓ୍ୱେକମେଡ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ଏହି ଘଟଣାରେ ଆକ୍ରମଣକାରୀକୁ ଅଟକ ରଖାଯାଇଥିବା ସ୍ଥାନୀୟ ପୁଲିସ ଟ୍ବିଟ କରି ସୂଚନା ଦେଇଛି। ଅନ୍ୟପଟେ ଏହି ଗୁଳିକାଣ୍ଡ ଘଟିବା ପରେ ସ୍ଥାନୀୟ ଅଞ୍ଚଳକୁ ସିଲ୍ କରିଦିଆଯିବା ସହ ସେଠାକୁ କାହାରିକୁ ଛଡ଼ା ଯାଉନାହିଁ ।