୨୦/୧୦: ୟୁକ୍ରେନରେ ରହୁଥିବା ଭାରତୀୟମାନଙ୍କୁ ତୁରନ୍ତ ଦେଶ ଛାଡ଼ିବା ଲାଗି ଆଲର୍ଟ କରାଯାଇଛି। ୟୁକ୍ରେନରେ ଭାରତୀୟ ଦୂତାବାସ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ଯେହେତୁ ରୁଷ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜଟିଳ ହେବାରେ ଲାଗିଛି । ଏବଂ ଏହି ଯୁଦ୍ଧ ଭୟଙ୍କର ମୋଡ଼ ନେବାର ଆଶଙ୍କା ବଢ଼ିବାରେ ଲାଗିଛି ଏଭଳି ସତର୍କତା ଜାରି କରାଯାଇଛି।
ସେହିପରି ୟୁକ୍ରେନକୁ ବର୍ତ୍ତମାନ କୌଣସି ଭାରତୀୟ ନଯିବା ଲାଗି ମଧ୍ୟ ଆଲର୍ଟ କରାଯାଇଛି । ୟୁକ୍ରେନରେ ଏବେ ବି କିଛି ଛାତ୍ର ରହି ସେମାନଙ୍କର ପାଠପଢ଼ା ଜାରି ରଖିଛନ୍ତି ସେମାନଙ୍କୁ ଦେଶ ଛାଡ଼ିବା ଲାଗି କୁହାଯାଇଛି । ସେପଟେ ଋଷ ବଳ ପୂର୍ବକ ୟୁକ୍ରେନ ଠାରୁ ଛଡ଼ାଇ ଆଣିଥିବା ୪ ଅଞ୍ଚଳରେ ମାର୍ଶଲ ଆଇନ ବା ସମାରିକ ଆଇନ ଲାଗୁ କରାଯାଇଛି।
ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ଆଇନ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଋଷ କବଜାରେ ଥିବା ଡୋନେସ୍କ, ଲୁହାନସ୍କ, ଜାପୋରିଜିଆ ଓ ଖେରସନ ଅଞ୍ଚଳରେ ମାର୍ଶଲ ଆକ୍ଟ ବା ସାମରିକ ଆଇନ ଲାଗୁ କରାଯାଇଛି। ୟୁକ୍ରେନ ସୈନ୍ୟମାନେ ଦ୍ରୁତଗତିରେ ଏହି ଅଞ୍ଚଳର ଅଧିକାଂଶ ସ୍ଥାନ ରୁଷ କବଜାରୁ ଛଡ଼ାଇ ଆଣିବାକୁ ସକ୍ଷମ ହୋଇଛନ୍ତି ।
ସାମରିକ ଆଇନ ଲାଗୁ କରାଯିବା ପରେ ଖେରସନରୁ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ୟୁକ୍ରେନର ଏହି ୪ ଅଞ୍ଚଳରେ ଋଷ କୌଣସି ବଡ଼ଧରଣର ପଦକ୍ଷେପ ନେବାକୁ ଯାଉଥିବାରୁ ଏହି ନିୟମ ଲାଗୁ କରାଯାଇଥିବା କୁହାଯାଉଛି।