ଓଡ଼ିଶା ଇତିହାସରେ ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଥିଲା ୧୯୯୯ ମସିହା ଅକ୍ଟୋବର ୨୯ର ‘ମହାବାତ୍ୟା’।ମହାବାତ୍ୟାର ମହାତାଣ୍ଡବକୁ ପାଖରୁ ଦେଖିଥିବା ଲୋକେ ଅକ୍ଟୋବର ମାସ ଆସିଲେ ଏକ ଅଜଣା ଭୟରେ ଆତଙ୍କିତ ହୋଇଥାନ୍ତି। ଆଉ ଏହାରି ମଧ୍ୟରେ ଅକ୍ଟୋବରରେ ବଙ୍ଗୋପସାଗର ଅଶାନ୍ତ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।
ଅକ୍ଟୋବର ଦ୍ବିତୀୟ ସପ୍ତାହରେ ପୁଣି ଲଘୁଚାପ ସୃଷ୍ଟି ହେବ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ଦୀର୍ଘ ମିଆଦୀ ଆକଳନରେ ଭାରତୀୟ ପାଣିପାଗ ବିଭାଗର ସୂଚନା ଦେଇଛି। ଆଉ ବାତ୍ୟା ମାସରେ ସୃଷ୍ଟି ହେଉଥିବା ଏହି ଲଘୁଚାପ ଅଧିକ ଘନୀଭୂତ ହେବାର ମଧ୍ୟ ସମ୍ଭାବନା ରହିଛି। ଏହି ସିଷ୍ଟମ ଉପରେ ଆଇଏମଡିର ସ୍ବତନ୍ତ୍ର ନଜର ରହିଥିବା ବେଳେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାପରେ ଲଘୁଚାପର ଗତିବିଧି ସ୍ପଷ୍ଟ ହେବ।
ଅନ୍ୟପଟେ ଲଘୁଚାପ ସୃଷ୍ଟି ହେବା ପରେ ଦଶହରା ପୂର୍ବରୁ ରାଜ୍ୟରେ ବଡ ବର୍ଷା ସମ୍ଭାବନା ରହିଛି। ୪ ଅକ୍ଟୋବର ରୁ ୧୦ ଅକ୍ଟୋବର ଯାଏଁ ରାଜ୍ୟର ପ୍ରବଳ ବର୍ଷା ସମ୍ଭାବନା ରହିଛି। ଅଧିକାଂଶ ଜିଲ୍ଲାରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷିା ହେବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।