ବିଶ୍ୱ ପାଣିପାଗ ସଂଗଠନର ରିପୋର୍ଟ, ୫ ବର୍ଷରେ ତାପମାତ୍ରା ବଢିବ ୧.୫ ପ୍ରତିଶତ

୨୮/୧୦: ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ପ୍ରଦୂଷଣ ମାତ୍ରା ବୃଦ୍ଧି ଏବେ ଚିନ୍ତା ବଢ଼ାଇଛି । ୨୦୨୧ରେ ଏହାଯୋଗୁ ପୃଥିବୀ ଗ୍ରହରେ ନୂଆ ରେକର୍ଡ ସ୍ତର ଛୁଇଁଛି ସବୁଜଗୃହ ବାଷ୍ପ । ୩ ପ୍ରାଥମିକ ସବୁଜଗୃହ ବାଷ୍ପ ଯଥା ଅଙ୍ଗାରକାମ୍ଳ, ମିଥେନ୍‌ ଓ ନାଇଟ୍ରସ୍‌ ଅକ୍ସାଇଡ୍‌ ମାତ୍ରା ନୂଆ ରେକର୍ଡ ସ୍ତର ଛୁଇଁଥିବା ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ) ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି ।

ରିପୋର୍ଟ ଦର୍ଶାଇଛି ଯେ ଜଳବାୟୁ ପରିବର୍ତ୍ତନର ପ୍ରଭାବ କ’ଣ, ଏହା ତାହାର ଏକ ସଦ୍ୟ ଉଦାହରଣ । ଆଗକୁ ଏହି ଗ୍ୟାସ୍‌ଗୁଡ଼ିକ ବିଶ୍ୱକୁ ଆହୁରି ଉଷ୍ମ କରିଚାଲିବେ । ରିପୋର୍ଟ ଅନୁସାରେ ୨୦୨୦ ଓ ୨୦୨୧ ମଧ୍ୟରେ ବିଶ୍ୱରେ ଅଙ୍ଗାରକାମ୍ଳ ସ୍ତର ବିଗତ ୧୦ ବର୍ଷ ତୁଳନାରେ ଅଧିକ ହୋଇଛି । ଏହା କ୍ରମାଗତ ଭାବେ ବଢ଼ିବ ।

ଆସନ୍ତା ୫ ବର୍ଷରେ ଜଳବାୟୁ ପରିବର୍ତ୍ତନ ଜନିତ ହାରାହାରି ତାପମାତ୍ରା ୧୫% ବଢ଼ିଯିବ । ସେହିଭଳି ବିଶ୍ୱର ସ୍ୱାଭାବିକ ହାରାହାରି ତାପମାତ୍ରା ୧.୫% ବଢ଼ିବ ବୋଲି କୁହାଯାଇଛି । ଏହାବ୍ୟତୀତ ୧୯୯୦ ଓ ୨୦୨୧ ମଧ୍ୟରେ ରେଡିଏଟିଭ୍‌ ଫୋର୍ସିଙ୍ଗ୍‌ (ଏକପ୍ରକାର ଉଷ୍ମତା) ୫୦% ବଢ଼ିଛି, ଯାହା ପାଇଁ ଅଙ୍ଗାରକାମ୍ଳ ସର୍ବାଧିକ ୮୦% ଦାୟୀ ।

ଏ ପ୍ରସଙ୍ଗରେ ଡବ୍ଲ୍ୟୁଏମ୍‌ଓ ମହାସଚିବ ପେଟ୍ଟେରି ତାଲସ୍‌ ଦର୍ଶାଇଛନ୍ତି ଯେ ସଂଗଠନର ଏହି ରିପୋର୍ଟ ସତର୍କଘଣ୍ଟି ସଦୃଶ ହୋଇଛି । ଆଗକୁ ଯେ ଆହୁରି ବଡ଼ ଚ୍ୟାଲେଞ୍ଜ ଆସିବ, ତାହା ସ୍ପଷ୍ଟ ଦେଖାଯାଉଛି । ଡବ୍ଲ୍ୟୁଏମ୍‌ଓ ବୁଲେଟିନ୍‌ ମୁତାବକ ୨୦୨୧ରେ ଅଙ୍ଗାରକାମ୍ଳ, ମିଥେନ୍‌ ଏବଂ ନାଇଟ୍ରସ୍‌ ଅକ୍ସାଇଡ୍‌ ଯଥାକ୍ରମେ ୪୧୫.୭ ପାର୍ଟସ ପର୍‌ ମିଲିୟନ (ପିପିଏମ୍‌), ୧୯୦୮ ପାର୍ଟସ ପର୍‌ ବିଲିୟନ୍‌ (ପିପିବି) ଏବଂ ୩୩୪.୫ ପିପିବି ରହିଛି ।

ପ୍ରାକ୍‌ ଶିଳ୍ପାୟନ ସ୍ତର ତୁଳନାରେ ଏହା ଯଥାକ୍ରମେ ୧୪୯%, ୨୬୨% ଓ ୧୨୪% ଅଧିକ । ମାନବିକ କାର୍ଯ୍ୟକଳାପ ଯୋଗୁ ପ୍ରାକୃତିକ ସନ୍ତୁଳନ ବିଶୃଙ୍ଖଳିତ ହୋଇପାରେ । ଡବ୍ଲ୍ୟୁଏମ୍‌ଓ ମହାସଚିବ ପେଟ୍ଟେରି ତାଲସ୍‌ ଆହୁରି କହିଛନ୍ତି, ଆମେ ସମସ୍ତେ ଏକ ଭୁଲ ମାର୍ଗରେ ଗତି କରୁଛେ । ବିଶେଷକରି ଉତ୍ତାପ ସୃଷ୍ଟିକାରୀ ଗ୍ୟାସ୍‌ଗୁଡ଼ିକର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ସବୁଠୁ ବଡ଼ କଥା ହେଲା ମିଥେନ୍‌ ଗ୍ୟାସ୍‌ ମାତ୍ରା ସର୍ବାଧିକ ହାରରେ ବୃଦ୍ଧି ପାଉଛି । ରିପୋର୍ଟ କହିଛି ଯେ ୨୦୧୦ ତୁଳନାରେ ଅଙ୍ଗାରକ ନିର୍ଗମନ ମାତ୍ରା ୨୦୩୦ ସୁଦ୍ଧା ୧୦.୬% ବୃଦ୍ଧି ପାଇବ ।

Leave a Reply

Your email address will not be published. Required fields are marked *