ମୋଦୀ ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା କି ? ନଭେମ୍ବର ୯ରେ ଶୁଣାଣି କରିବେ ସୁପ୍ରିମକୋର୍ଟ । ୨୦୧୬ରେ ମୋଦୀ ସରକାର କରିଥିବା ବିମୁଦ୍ରୀକରଣର ସାମ୍ବିଧାନିକ ବୈଧତା ସମ୍ପର୍କରେ ଆଗତ ଏକ ମାମଲାର ଶୁଣାଣି ସୁପ୍ରିମକୋର୍ଟ ଆସନ୍ତା ନଭେମ୍ବର ୯ରେ କରିବେ । ବିଭିନ୍ନ ସମୟରେ ଏପରି ନିଷ୍ପତ୍ତି ଦେଶର ଆର୍ଥିକ ସମସ୍ୟା ବଢାଇଛି ବୋଲି ବିରୋଧୀଙ୍କ ସମେତ ଅନେକ ଅର୍ଥନୀତିଜ୍ଞ କହିଛନ୍ତି । ଯାହାକୁ ଶାସକ ଦଳର ନେତା ଖାରଜ କରି ଆସିଛନ୍ତି । କଳାଟଙ୍କା ବିରୋଧର ଏହା ଏକ ବଡ ପଦକ୍ଷେପ ବୋଲି ବିଜେପି କହି ଆସୁଛି । ଏହାରି ଭିତରେ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି

ଏହି ମାମଲାକୁ ତାଲିକାଭୁକ୍ତ କରି କୋର୍ଟ କହିଛନ୍ତି ଯେ ସରକାରୀ ନୀତି ନିର୍ଣ୍ଣୟକୁ ନେଇ କୋର୍ଟ କେତେ ଦୂର ଚ୍ୟାଲେଞ୍ଜ ଦେଇ ପାରିବେ ସେ ନେଇ ଥିବା ‘ଲକ୍ଷ୍ମଣ ରେଖା’ ସମ୍ପର୍କରେ ଅଦାଲତ ସଚେତନ ଅଛନ୍ତି । ଏ ସମ୍ପର୍କରେ ଆବଶ୍ୟକ ଫାଇଲ ପ୍ରସ୍ତୁତ ରଖିବାକୁ କୋର୍ଟ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୬ ମସିହା ନଭେମ୍ବର ମାସରେ କେନ୍ଦ୍ର ସରକାର ସାରା ଦେଶରେ ବିମୁଦ୍ରୀକରଣ ଘୋଷଣା କରିଥିଲେ ।

ଘୋଷଣା ଅନୁଯାୟୀ, ୧୦୦୦ ଟଙ୍କିଆ ଏବଂ ୫୦୦ ଟଙ୍କିଆ ନୋଟକୁ ଅଚଳ କରାଯାଇଥିଲା । କଳାଧନ ବିରୋଧରେ ଏହାକୁ ଏକ ବଡ଼ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଦର୍ଶାଇଥିଲେ । ମୋଦୀ ସରକାରଙ୍କ ଏହି ନିଷ୍ପତ୍ତି ପରେ ସାରା ଦେଶରେ ଚହଳ ପଡିଯାଇଥିଲା । ବ୍ୟାଙ୍କ ଆଗରେ ଲୋକମାନଙ୍କୁ ଲମ୍ବା ଧାଡିରେ ଛିଡା ହେବା ପାଇଁ ପଡିଥଲା । ଆଉ କାରବାର ପ୍ରଭାବିତ ହୋଇଥିଲା ।