ଭାରତ ମାଟି ମୋ ପାଇଁ ଖାଣ୍ଟି ସୁନା । ଦେଶର ଯେଉଁ ସ୍ଥାନରେ ଥିଲେ ବି ଓଡ଼ିଶା ମୋ ପାଇଁ ପ୍ରିୟ । ରାଷ୍ଟ୍ରପତିଙ୍କୁ ନାଗରିକଙ୍କ ସମ୍ମାନ ଅବସରରେ ରାଜଭବନରେ ଏଭଳି କହିଛନ୍ତି ମହାମହିମ ଦୌପଦୀ ମୁର୍ମୁ । ସେହିପରି ଉତ୍ତର ଓ ଦକ୍ଷିଣ ଭାରତ ମଧ୍ୟରେ ଓଡ଼ିଶା ସମ୍ପର୍କର ସେତୁ ବୋଲି କହିଛନ୍ତି ରାଷ୍ଟ୍ରପତି । ଦେଶର ସାଂସ୍କୃତିକ ମହାଶକ୍ତିକୁ ସମୃଦ୍ଧ କରିଛି ଓଡ଼ିଶାର କଳା ଓ ସଂସ୍କୃତି । ନାରୀ ନେତୃତ୍ୱ ନେବା କ୍ଷେତ୍ରରେ କେତେ ଆଗୁଆ, ସେ କଥା କହିବାକୁ ଯାଇ, ସ୍ୱାଧିନତା ସଂଗ୍ରାମର ଉଦାହରଣ ମଧ୍ୟ ରଖିଛନ୍ତି ରାଷ୍ଟ୍ରପତି । ଦେଶର ସ୍ୱାଧିନତା ସଂଗ୍ରାମରେ ଓଡ଼ିଶାର ନେତୃତ୍ୱର ଅବଦାନ ଥିବା କହିଛନ୍ତି ମହାମହିମ । ଶ୍ରୀଜିଉଙ୍କ ଦର୍ଶନ ସାରି ଭୁବନେଶ୍ୱର ରାଜଭବନକୁ ଫେରିବା ପରେ ସମାଜର ସମସ୍ତ ବର୍ଗର ନାଗରିକଙ୍କୁ ଭେଟିିଥିଲେ ରାଷ୍ଟ୍ରପତି ।
ଓଡ଼ିଶାର ସ୍ବାଧୀନତା ସଂଗ୍ରାମ ଉପରେ ଆଲୋକପାତ କରି ସେ କହିଲେ, ଓଡ଼ିଶା ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ । ଐତିହାସିକମାନେ କୁହନ୍ତି ବ୍ରିଟିସ୍ ବିରୋଧୀ ଆନ୍ଦୋଳନ ଓଡ଼ିଶାରୁ ଆରମ୍ଭ ହୋଇଥିଲା । ୧୮୧୭ମସିହାର ପାଇକ ବିଦ୍ରୋହ ଏହାର ଉଦାହରଣ । ଜୟୀ ରାଜଗୁରୁ ଓ ବକ୍ସି ଜଗବନ୍ଧୁଙ୍କ ବୀରତ୍ବ ବି ଭାରତ ଇତିହାସରେ ବିରଳ । ସେହିପରି ୧୮୫୭ ମସିହାର ସଂଘର୍ଷରେ ବୀର ସୁରେନ୍ଦ୍ର ସାଏଙ୍କ ଅସୀମ ବୀରତ୍ବର ପଟ୍ଟାନ୍ତର ନାହିଁ । ଜନଜାତି ଅଞ୍ଚଳରେ ବି ବ୍ରିଟିସ୍ ବିରୋଧୀ ସ୍ବର ଶୁଭିଥିଲା ।
ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସେବା ଓ ସଂଗ୍ରାମ, ଉତ୍କଳଗୌରବ ମଧୁସୂଦନଙ୍କ ମୌଳିକ ଚିନ୍ତନ ଓ ନାରୀ ନେତୃତ୍ବ ପ୍ରତି ମହାତ୍ମା ଗାନ୍ଧୀଙ୍କ ଶ୍ରଦ୍ଧା ରହିଥିଲା । ମା’ ରମାଦେବୀ, ଶାରଳା ଦେବୀ, ମାଳତୀ ଦେବୀ ପ୍ରମୁଖ ନେତ୍ରୀ ସ୍ବାଧୀନତା ସଂଗ୍ରାମର ଅଗ୍ର ଭାଗରେ ଥିଲେ । ଦ୍ବିତୀୟ ଲବଣ ସତ୍ୟାଗ୍ରହ ଓଡ଼ିଶାରେ ହୋଇଥିବା ବିଦ୍ବାନମାନଙ୍କ ମତ। ଭାରତଛାଡ଼ ଆନ୍ଦୋଳନ ଏଠାରେ ତୀବ୍ର ହୋଇଥିଲା । ଭଦ୍ରକଠାରୁ କୋରାପୁଟ ପର୍ଯ୍ୟନ୍ତ, ବିଭିନ୍ନ ସ୍ଥାନରେ ଗୁଳିକାଣ୍ଡ ହୋଇଥିଲା। ଭଦ୍ରକର ଇରମ୍ରେ ସର୍ବାଧିକ ୩୧ଜଣ ସହିଦ୍ ହୋଇଥିଲେ । ଦେଶୀୟ ରାଜ୍ୟ ମିଶ୍ରଣରେ ଓଡ଼ିଶା ଆଗରେ ରହିଥିଲା ।
ସାହିତ୍ୟ ସାଙ୍ଗକୁ କଳା, ସଙ୍ଗୀତ, କ୍ରୀଡ଼ା, ସମାଜସେବା ଓ ଆଇଟି କ୍ଷେତ୍ରରେ ଓଡ଼ିଆ ଯୁବପିଢ଼ିଙ୍କ ଯୋଗଦାନ ପ୍ରଶଂସନୀୟ। ଛଉ, ସମ୍ବଲପୁରୀ, ଗୋଟିପୁଅ, ରଣପା, ଚଢ଼େୟା ଚଢ଼େଇଆଣି ପରି ବିଖ୍ୟାତ ଲୋକନୃତ୍ୟ ବି ଆମର। ଏଠି ୬୨ଟି ପ୍ରଜାତିର ଆଦିବାସୀ ରହୁଛନ୍ତି । ତେଣୁ ଭାରତୀୟ ସାଂସ୍କୃତିକ ମହାସ୍ରୋତକୁ ଓଡ଼ିଶା ପରିପୂର୍ଣ୍ଣ କରିପାରିଛି ବୋଲି ଅତ୍ୟୁକ୍ତି ହେବ ନାହିଁ । ଅଗଣିତ କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର, ସ୍ତୂପ, ବିହାର, ଗୁମ୍ଫାରେ ଆମ ରାଜ୍ୟ ପରିପୂର୍ଣ୍ଣ । ଭାରତୀୟ ଭାସ୍କର୍ଯ୍ୟକୁ ଓଡ଼ିଶାର ବିଶେଷ ଅବଦାନ ରହିଛି, ଏ କଥାକୁ କେହି ଅସ୍ବୀକାର କରିପାରିବେ ନାହିଁ । ୨୫ବର୍ଷ ପରେ ଭାରତ ସ୍ବାଧୀନତାର ଶହେ ବର୍ଷରେ ପଦର୍ପଣ କରିବ । ଓଡ଼ିଶା ୧୪ବର୍ଷ ପରେ ଶତବାର୍ଷିକୀ ପାଳନ କରିବ। ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ସାମୂହିକ ଉଦ୍ୟମ ଆବଶ୍ୟକ । ବିଶେଷତଃ ଯୁବପିଢ଼ିଙ୍କ ପ୍ରତିବଦ୍ଧତା ଓ ପରିଶ୍ରମ ଦ୍ବାରା ଭାରତ ସମଗ୍ର ବିଶ୍ବରେ ନେତୃତ୍ବ ନେଇପାରିବ, ଏଥିରେ ସନ୍ଦେହ ନାହିଁ ।
ଭାରତ ପ୍ରତି ବିଶ୍ବବାସୀଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆସିଛି । କୋଭିଡ୍-୧୯ ସମୟରେ ଟିକାକରଣ କ୍ଷେତ୍ରରେ ସଫଳତା ମିଳିଲା । ପରିବେଶ ସୁରକ୍ଷା କ୍ଷେତ୍ରରେ ଭାରତ ଆଗରେ ରହିଛି । ପ୍ରବାସୀ ଭାରତୀୟମାନେ ନିଜ ମୂଳ ପରିଚୟରେ ଗୌରବାନ୍ବିତ ହେଉଛନ୍ତି। ତେବେ ବିକାଶର ସୁଫଳ ସବୁବର୍ଗର ଲୋକଙ୍କ ନିକଟରେ ପହଞ୍ଚିବା ଆବଶ୍ୟକ । ସବା ତଳ ପାହାଚରେ ଥିବା ବ୍ୟକ୍ତିର ଯଦି ବିକାଶ ନ ହୁଏ, ତେବେ ସମାଜ ସମ୍ପୂର୍ଣ୍ଣ ବିକଶିତ ବୋଲି କହି ହେବ ନାହିଁ । ଆଦିବାସୀ, ବଞ୍ଚିତ ବର୍ଗ, ଆର୍ଥିକ କ୍ଷେତ୍ରରେ ପଛୁଆ ଗୋଷ୍ଠୀଙ୍କ ନିକଟରେ ପହଞ୍ଚିବାକୁ ହେବ ବୋଲି ମତପ୍ରକାଶ କରିଥିଲେ ।