ପୁଣି ଭୟଙ୍କର ରୂପ ନେଲା ରୁଷ ଓ ୟୁକ୍ରେନ ଯୁଦ୍ଧ : ୟୁକ୍ରେନର ବିଭିନ୍ନ ସହରରେ ୮୫ଟି ମିଜାଇଲ ମାଡ଼; ସେପଟେ, ମିଶାଇଲ ପଠାଇଲା ଜର୍ମାନୀ

ଋଷ-ୟୁକ୍ରେନ ଯୁଦ୍ଧ ପୁଣି ଭୟଙ୍କର ରୂପ ଧାରଣ କରିଛି । ୟକ୍ରେନର ବିଭିନ୍ନ ସହରରେ ଋଷ ସୋମବାର ୮୫ଟି ମିଶାଇଲ ମାଡ କରିଥିଲା । ଯେଉଁଥିରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ୟୁକ୍ରେନର ଆତଙ୍କବାଦୀ କାର୍ଯ୍ୟ ଏବଂ କ୍ରିମିୟା-ଋଷକୁ ସଂଯୋଗ କରୁଥିବା ବ୍ରିଜ ଉପରେ ବିଷ୍ଫୋରଣ ଘଟଣାର ଯବାବ ଦେଇ ଋଷ ମିଶାଇଲ ମାଡ କରିଥିବା କହିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ଏପଟେ ଯୁଦ୍ଧ ପାଇଁ ୟୁକ୍ରେନକୁ ବଡ ସମାରିକ ସହାୟତା ପଠାଇଛି ଜର୍ମାନୀ । ପୂର୍ବ ପ୍ରତିଶ୍ରୁତି ମୁତାବକ ଜର୍ମାନୀ କିଭକୁ ଏୟାର ଡିଫେନ୍ସ ସିଷ୍ଟମ ପଠାଇଛି ।

ଯାହା ଋଷର ମିଶାଇଲ ମାଡରୁ ସହରକୁ ସୁରକ୍ଷା ପ୍ରଦାନ କରିବ ବୋଲି ଜର୍ମାନୀ କହିଛି । ଏହି ଏୟାର ଡିଫେନ୍ସ ମିଶାଇଲ ୨୦ କିଲୋମିଟର ଉଚ୍ଚତା ଏବଂ ୪୦ କିଲୋମିଟର ଦୂରତା ମଧ୍ୟରେ ଆସୁଥିବା ମିଶାଇଲଗୁଡିକ ନଷ୍ଟ କରିବାରେ ସାମର୍ଥ୍ୟ ରଖିଛି । ଗତକାଲି ଋଷର ମିଶାଇଲ ମାଡରେ କେଉଁଠି ପିଲାଙ୍କ ଖେଳପଡିଆ ଧ୍ୱଂସ ହୋଇଛି, ତ ଆଉ କେଉଁଠି ବଡ ଅଟ୍ଟାଳିକା ରୁଷର ମିସାଇଲ ମାଡରେ କ୍ଷତିଗ୍ରସ୍ତ ହୋଇଛି । ଋୁଷ ଏବଂ କ୍ରିମିଆକୁ ଯୋଡୁଥିବା ବ୍ରିଜରେ ତିନି ଦିନ ତଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା ।

ଅଗ୍ନିକାଣ୍ଡରେ ପୋଲର ଗୋଟିଏ ଅଂଶ ଭୁଶୁଡି ପଡ଼ିଥିଲା । ନିଆଁ ଲାଗିବା ଯୋଗୁଁ ପୋଲ ଉପର ଦେଇ ଯାଉଥିବା କାର୍ଗୋ ଟ୍ରେନର ଡବା ଗୁଡିକ ଜଳି ଯାଇଥିଲା । ୟୁକ୍ରେନ୍ ପକ୍ଷରୁ ଏହା କେବଳ ଆରମ୍ଭ ମାତ୍ର ବୋଲି କୁହାଯାଇଥିଲା । ୨୦୧୪ରେ କ୍ରିମିଆ ଉପରେ ରୁଷ କବଜା କରିଥିଲା ଏବଂ ୟୁକ୍ରେନ ସହ ଯୁଦ୍ଧରେ ଏହି ବ୍ରିଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲା । ୨୦୧୮ରେ ପୁଟିନ୍ ଏହି ବ୍ରିଜର ଉଦଘାଟନ କରିଥିଲେ । ଏବେ ୟୁକ୍ରେନ କ୍ରିମିଆ ସହିତ ଋଷର ସଂଯୋଗ ବିଚ୍ଛିନ୍ନ କରିବାକୁ ପ୍ରୟାସ କରିବା ପରେ ପୁଟିନ ପ୍ରତିଶୋଧ ପରାୟଣ ହୋଇଥିବା କୁହାଯାଇଛି ।

Leave a Reply

Your email address will not be published. Required fields are marked *