୨୨ ଟିକିଆ ହାତୀପଲଙ୍କ ଉପଦ୍ରବ, ଲୋକେ ଭୟଭୀତ

୧୨।୧୦ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ଥମୁନି ହାତୀପଲଙ୍କ ଉପଦ୍ରବ। ଜ୍ୟୋତିପୁର ବିଟ୍ ଅଞ୍ଚଳରେ ଗତ ୨ ଦିନ ହେବ ୨୪ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ହାତୀପଲ ଜ୍ୟୋତିପୁର, ମାଳିପଶି, ଝାଲିଆବେଡା, ବରପଦା, ନନ୍ଦପୁର ଅଞ୍ଚଳରେ ଏକର ଏକର ଧାନ ଫସଲ ସହ ପନିପରିବା ଚାଷକୁ ମାଡ଼ି ଚକଟି ନଷ୍ଟ କରିଦେଇଛନ୍ତି। ଫଳରେ ହାତୀପଲଙ୍କ ଭୟରେ ସ୍ଥାନୀୟ ଲୋକେ ରାତି ଅନିଦ୍ରା ହୋଇ ନିଜ ନିଜ ଫସଲକୁ ଜଗି ରହିବା ସହ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି। ସେପଟେ ହାତୀପଲଙ୍କୁ ଘଉଡ଼ାଇବାକୁ ବନ ବିଭାଗ ବିଫଳ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ଖବର ଅନୁଯାୟୀ, ହାତୀପଲ ଏବେ ଭାଗ ଭାଗ ହୋଇ ବର୍ଦ୍ଧନା ଓ ଝାଲିଆବେଡା ଜଙ୍ଗଲରେ ଡେରା ପକାଇଥିବା ବେଳେ ଆଖପାଖ ଗାଁର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଖୁବଶୀଘ୍ର ଏହି ଅଞ୍ଚଳରୁ ହାତୀପଲଙ୍କୁ ଘଉଡାଇବା ସହ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଯୋଗାଇଦେବାକୁ ସ୍ଥାନୀୟ ଅଞ୍ଚଳର ଚାଷୀ ଦାବି କରିଛନ୍ତି।

ସେହିପରି ପୂର୍ବ ବର୍ଷ ହାତୀ ଉପଦ୍ରବରେ କ୍ଷୟକ୍ଷତି ହୋଇଥିବା ଫସଲର କ୍ଷତିପୂରଣ ଏପର୍ଯ୍ୟନ୍ତ ଚାଷୀ ପାଇନଥିବା ବେଳେ ପୁଣି ହାତୀ ଉପଦ୍ରବରେ ଫସଲ ନଷ୍ଟ ହୋଇଥିବାରୁ ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି। ଧାର କରଜ କରି ଚାଷ କରିଥିବା ଚାଷୀ ଏବେ କିପରି ଋଣ ସୁଝିବେ ସେନେଇ ଚିନ୍ତାରେ ଚାଷୀକୁଳ ।

Leave a Reply

Your email address will not be published. Required fields are marked *