କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆଲୋଚନା; ‘ସୁଶାସନ’ ବିଷୟରେ ଦେଲେ ଉପଦେଶ

ଭୁବନେଶ୍ୱର I ଗାନ୍ଧୀନଗର ୧୦/୧୨: ସାଧାରଣ ଲୋକଙ୍କ ଜୀବନରେ ମୂଳଭୂତ ପରିବର୍ତ୍ତନ ଆଣିବା ହିଁ ସୁଶାସନ। ଯେଉଁ କଥାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାମରେ କରି ଦେଖାଉଛନ୍ତି ବୋଲି ବୁଧବାର ଗୁଜୁରାଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ‘ସୁଶାସନ’ ଉପରେ ଆଲୋଚନା କରିବା ଅବସରରେକେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ମୋଦୀ ସରକାରରେ ଦେଶରେ ‘ମିନିମମ୍ ଗଭର୍ଣ୍ଣମେଣ୍ଟ, ମ୍ୟାକ୍ସିମମ୍ ଗଭର୍ଣ୍ଣାସ’କୁ ଗୁରୁତ୍ୱ ଦିଆଯାଉଛି। ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ସ୍ୱାଧୀନତା ଦିବସରେ ଦେଶର ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀ ଏବଂ ମହିଳାମାନଙ୍କ ପାଇଁ ଘରେ ଶୌଚାଳୟ ନିର୍ମାଣ ପାଇଁ କରିବା ଘୋଷଣା କଲେ। ମହିଳାଙ୍କ ସହିତ ସମସ୍ତଙ୍କ ପାଇଁ ବ୍ୟାଙ୍କ ଖାତା ଖୋଲାଯିବା ନେଇ ଘୋଷଣା କଲେ। ପରେ ମହିଳାମାନଙ୍କୁ କାଠଚୂଲା ଧୂଆଁରୁ ମୁକ୍ତି ଦେବା ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଘୋଷଣା କରିଥିଲେ। ଏହି ସବୁ ଜନକଲ୍ୟାଣକାରୀ ପଦକ୍ଷେପ ମହିଳାଙ୍କ ସ୍ୱାସ୍ଥ୍ୟରକ୍ଷା କରିବା ସହ ସେମାନଙ୍କୁ ସମ୍ମାନର ସହ ବଞ୍ଚିବାର ସୁଯୋଗ ଦେଇଛି।

ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ ନିର୍ମାଣ ଦ୍ୱାରା ମହିଳାମାନଙ୍କୁ ସମ୍ମାନ ମିଳିଛି। ପୂର୍ବରୁ ଦେଶରେ କାଠଚୂଲାରେ ରୋଷେଇ କରିବା କାରଣରୁ ଦେଶରେ ବାର୍ଷକୁ ୫ ଲକ୍ଷ ମହିଳାଙ୍କ ମୃତ୍ୟୁ ହେଉଥିଲା। କିନ୍ତୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ପ୍ରାୟ ୯ କୋଟିରୁ ଅଧିକ ଲୋକଙ୍କୁ ଗ୍ୟାସ ପହଞ୍ଚାଯାଇ ସେମାନଙ୍କୁ ଧୂଆଁରୁ ମୁକ୍ତି ଦେଇଛନ୍ତି। ଜନଧନ ଯୋଜନାରେ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପହଞ୍ଚିଛି, ଏହା ହିଁ ସୁଶାସନ। ମୋଦୀ ସରକାର ମହିଳା ସଶକ୍ତିକରଣର ନୂଆ ପରିଭାଷା ବଦଳାଇଛନ୍ତି। ସେହିପରି ଗୋଟିଏ ସମୟରେ ଗରିବ ଲୋକମାନେ ବ୍ୟାଙ୍କକୁ ଯାଇ ପାରୁନଥିଲେ ମାତ୍ର ମୋଦୀ ସରକାରରେ ଘରେ ବ୍ୟାଙ୍କ ପହଞ୍ଚିଛି। ମୋଦୀ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କୁ ସିଧାସଳଖ ଟଙ୍କା ପଠାଇବାର ଗୁରୁତ୍ୱ ବିଶେଷ ଭାବରେ କରୋନା ମହାମାରୀ ସମୟରେ ଜଣାପଡ଼ିଥିଲା। ଏହାଛଡ଼ା କରୋନା ବେଳେ ପିପିଇ କିଟର ଉତ୍ପାଦନ ଭାରତକୁ ବିଶ୍ୱରେ ନୂଆ ପରିଚୟ ଦେଇଥିଲା। ମୋଦୀ ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତି କାରଣରୁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି।    

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଏହି ଆଲୋଚନାରେ ଅଂଶଗ୍ରହଣ ପୂର୍ବରୁ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ବୈଠକରେ ବିଶ୍ୱବିଦ୍ୟାଳୟର ବର୍ତ୍ତମାନର ସ୍ଥିତି, ଅବସ୍ଥିତି ଓ ଆଗାମୀଦିନରେ ଦୃଶ୍ୟପଟ୍ଟରେ ବିଶ୍ୱବିଦ୍ୟାଳୟର ଭୂମିକା ଉପରେ ସମୀକ୍ଷା କରାଯାଇଥିଲା ।

Leave a Reply

Your email address will not be published. Required fields are marked *