ବାତ୍ୟାକୁ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ : ବିଦେଶୀ ପାଣିପାଗ ସଂସ୍ଥା ଜିଏଫଏସ ପରେ ଇସିଏମ ମଡେଲ କହିଲା, ବଙ୍ଗୋପସାଗରରେ ହୋଇପାରେ ଭୀଷଣ ସାମୁଦ୍ରିକ ଝଡ

ବାତ୍ୟାକୁ ନେଇ ଆମେରିକାର ‘ଜିଏଫଏସ’ସଂସ୍ଥା ପରେ ପୁଣି ଏକ ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ସମାନ ଆକଳନ କରିଛି । ୟୁରୋପର ପାଣିପାଗ ସଂସ୍ଥା ଇସିଏମଡବ୍ଲୁଏଫ ଆକଳନ କରିଛି ବଙ୍ଗୋପସାଗରରେ ସୃଷ୍ଟିହେବାକୁ ଥିବା ଘୂର୍ଣ୍ଣିବଳୟ ଅବପାତରେ ପରଣିତ ହୋଇ ଭୀଷଣ ସାମୁଦ୍ରିକ ଝଡର ରୂପ ନେବ । ଆଉ ଏହି ବାତ୍ୟା ଓଡିଶା ଉପକୂଳରେ ହିଟ କରିବ ବୋଲି ଇସିଏମ ଆକଳନ କରିଛି ।

ଦୁଇ ଦୁଇଟି ଅନ୍ତର୍ଜାତୀୟ ସଂସ୍ଥା ବତ୍ୟା ଆସୁଥିବା ନେଇ ଆକଳନ କରିଛନ୍ତି । ହେଲେ ଭାରତୀୟ ପାଣିପାଗ ବିଭାଗ ବାତ୍ୟା ଆଶଙ୍କାକୁ ଖଣ୍ଡନ କରିଥିବାରୁ ଦ୍ୱନ୍ଦ୍ୱ ଦେଖାଦେଇଛି । ସେପଟେ ସ୍କାଏମେଟ୍ କହିଛି ଯେ, ଗଭୀର ଅବପାତ ହୋଇପାରେ, ହେଲେ ବାତ୍ୟାର କୌଣସି ପୂର୍ବାନୁମାନ ହୋଇନାହିଁ । ରାଜ୍ୟର ପାଣିପାଗ ବିଜ୍ଞାନୀମାନେ ମଧ୍ୟ ସମାନ ମତ ପୋଷଣ କରିଛନ୍ତି । ଅନ୍ୟପଟେ ବାତ୍ୟା ଖବରକୁ ପାଣିପାଗ ବିଭାଗ ଗୁଜବ କହିସାରିଛି ।

ସେପଟେ, ଯଦି ୨୧ ତାରିଖ ଭିତରେ ରାଜ୍ୟରୁ ମୌସୁମୀ ଫେରିଯାଏ ତେବେ ବାତ୍ୟା ସମ୍ଭାବନାକୁ ଏଡ଼ାଯାଇନପାରେ ବୋଲି ପାଣିପା‌ଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ଆସନ୍ତା ୧୭ ତାରିଖ ବେଳକୁ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଆଣ୍ଡାମାନ ସାଗରରେ ଅଧିକ ଘନୀଭୂତ ହୋଇ ୧୯ ତାରିଖ ବେଳକୁ ଏକ ଲଘୁଚାପର ରୂପ ନେଇପାରେ। ୧୯ ତାରିଖ ପରେ ୭ ଦିନ ପର୍ଯ୍ୟନ୍ତ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗରରେ ବାୟୁମଣ୍ଡଳର ଅବସ୍ଥା ସମ୍ପର୍କରେ ପୂର୍ବାନୁମାନ ମଡେଲମାନଙ୍କ ମଧ୍ୟରେ ସହମତି ନାହିଁ ।

ଜିଏଫ୍‌ଏସ୍‌ ମଡେଲ କହୁଛି, ୨୧ ତାରିଖ ପରଠାରୁ ଏସବୁ ବାତ୍ୟା ଘନୀଭୂତକାରୀ ଉପାଦାନ ଅନୁକୂଳ ରହିବ । ଉତ୍ତର ବଙ୍ଗୋପସାଗରରୁ ବାତ୍ୟା ସେତେବେଳକୁ ଅପସାରଣ ହୋଇଥିବ କିମ୍ବା ପ୍ରତ୍ୟାବର୍ତ୍ତନ ନ ହେଲେ ମଧ୍ୟ ‌ସେହିପରି ଅବସ୍ଥା ରହିବ । ଯାହାଦ୍ବାରା ଲଘୁଚାପ ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ଯଦି ବାତ୍ୟା ହୁଏ, ତାହା ଅତିଭୀଷଣ ରୂପ ନେବ । ନଚେତ ଏକ ଅବପାତରେ ସୀମିତ ରହିବ । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ବାତ୍ୟା ସମ୍ଭାବନା ନାହିଁ । ଯଦି ଘନୀଭୂତ ହୁଏ, ଏହା ୨୧ ତାରିଖ ପରେ ହିଁ ବାତ୍ୟା ପାଇଁ ଅନୁକୂଳ ବାତାବରଣ ପାଇବ । ଏନେଇ ୧୭ ତାରିଖ ପରେ ହିଁ ସ୍ପଷ୍ଟ ସୂଚନା ମିଳିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *