ଦୀପାବଳିକୁ ବି ଘାରିଲାଣି ବାତ୍ୟା ଭୟ ! ୨୪ ଓ ୨୫ରେ ପ୍ରବଳ ବର୍ଷା

୧୭।୧୦: ଦଶହରା ଭଳି ଦୀପାବଳିକୁ ବି ଘାରିଲାଣି ବର୍ଷା ଡର । ପ୍ରାକ୍‌ ଆକଳନ ଯାହା, ଆସନ୍ତା ୨୪ ତାରିଖ ବେଳକୁ ଅବପାତ କିମ୍ବା ଛୋଟ ଧରଣର ବାତ୍ୟା ସମ୍ଭାବନା ରହିଛି । ଅର୍ଥାତ୍‌ ଏଥର ଦୀପାବଳିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏମିତି ହେଲେ ଦୁଇବର୍ଷ ପରେ ଦୀପାବଳିକୁ ଆଡ଼ମ୍ବରେ ପାଳନ ପାଇଁ ଲୋକେ ବାନ୍ଧିଥିବା ଆଶା ବି ବତୁରିଯିବ ବର୍ଷାରେ । ବର୍ଷା ଲାଗି ରହିଲେ ନା ଦୀପ ଜଳିବ ନା ଜମିବ ଆତସବାଜି । ଏହା କେବଳ ପ୍ରାକ୍‌ ଆକଳନ, ଏବେ ବି ପାଣିପାଗକୁ ନେଇ ଚିତ୍ର ଅସ୍ପଷ୍ଟ ରହିଛି । ବିଭିନ୍ନ ପାଣିପାଗ ମଡେଲ୍‌ ଭିନ୍ନ ଭିନ୍ନ ପୂର୍ବାନୁମାନ କରୁଛନ୍ତି ।

ପାଣିପାଗ ବିଭାଗ ଆକଳନ କରିଛି, ଆସନ୍ତା ୧୮ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଅଛି । ଏହା ପଶ୍ଚିମ-ଉତ୍ତର-ପଶ୍ଚିମକୁ ଗତି କରିବା ସହ ୨୦ ତାରିଖ ବେଳକୁ ଏକ ଲଘୁଚାପରେ ପରିଣତ ହୋଇପାରେ । ଏ ସମ୍ପର୍କରେ ଏବେଠାରୁ ଭାରତୀୟ ପାଣିପାଗ ବିଭାଗ ଅଧିକ କିଛି ସ୍ପଷ୍ଟ କରିନାହିଁ । ତେବେ ଆସନ୍ତା ଦୁଇଦିନ ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରବିବାର ସନ୍ଧ୍ୟା ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରାୟତଃ ପଶ୍ଚିମ ଦିଗରେ ଗତି କରି ୨୦ କିମ୍ବା ୨୧ ତାରିଖରେ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବାର ସମ୍ଭାବନା ଅଛି । ଅଧିକ ଘନୀଭୂତ ହୋଇ ୨୩ ତାରିଖବେଳକୁ ଅବପାତ (ଡିପ୍ରେସନ) ରୂପ ନେବ । ୨୪ରେ ଏହା ସମୁଦ୍ରରେ ଥିବାବେଳେ ଛୋଟ ଧରଣର ବାତ୍ୟାରେ ପରିଣତ ହେବା ସମ୍ଭାବନା ଅଛି । ସେଠାରେ ପବନର ବେଗ ଘଣ୍ଟା ପ୍ରତି ୬୮ କିଲୋମିଟର ରହିପାରେ । ୨୫ ତାରିଖରେ ଏହା ଆନ୍ଧ୍ର ଉପକୂଳ କିମ୍ବା ସଂଲଗ୍ନ ଓଡ଼ିଶା ଉପକୂଳରେ ପହଞ୍ଚିପାରେ । ସେତେବେଳେ ତାହା ଗଭୀର ଅବପାତ ଅବସ୍ଥାରେ ଥାଇପାରେ । ତଥାପି ପବନର ଝଟ୍‌କା (ଗଷ୍ଟିଙ୍ଗ) ଅଧିକ ରହିପାରେ ।

୨୪ ଓ ୨୫ ତାରିଖ ଦୁଇଦିନ ରାଜ୍ୟର ଉପକୂଳ ଓ ଦକ୍ଷିଣ ଅଞ୍ଚଳରେ ଅଧିକ ବର୍ଷା ସମ୍ଭାବନା ରହିଛି । ୨୨ ତାରିଖରୁ ବାତ୍ୟା ହେବା ପାଇଁ ପାଗ ଅନୁକୂଳ ହେବାର ଆକଳନ କରାଯାଉଛି । ଯଦି ଏମିତି ହୁଏ, ତେବେ ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ । ୨୦ ତାରିଖବେଳକୁ ଚିତ୍ର ଅଧିକ ସ୍ପଷ୍ଟ ହେବ । ପନିପରିବା ଫସଲ ବିଶେଷ କରି ତଳିକୁ ବର୍ଷାରୁ ରକ୍ଷା କରିବା ପାଇଁ ପଦକ୍ଷେପ ନେବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି । ଆନ୍ତର୍ଜାତିକ ପାଣିପାଗ ସଂସ୍ଥା ଆକ୍ୟୁୱେଦରର ବରିଷ୍ଠ ବୈଜ୍ଞାନିକ ଜାସନ ନିକୋଲ୍ସ ପୂର୍ବାନୁମାନ କରିଛନ୍ତି, ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ଓ ବାତ୍ୟା ରୂପ ନେଇପାରେ । ୨୪ ତାରିଖବେଳକୁ ଏହା ପୂର୍ବ ଉପକୂଳର ଆନ୍ଧ୍ରରୁ ପଶ୍ଚିମବଙ୍ଗ ମଧ୍ୟରେ ମୁହାଁଇପାରେ ।

Leave a Reply

Your email address will not be published. Required fields are marked *