ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ସି-ତ୍ରଙ୍ଗ୍‌, ୨୩ରୁ ୨୫ ତାରିଖ ଯାଏ ବର୍ଷା

୨୦।୧୦: ବାତ୍ୟା ସି-ତ୍ରଙ୍ଗ୍‌ ଓଡ଼ିଶାରେ ମାଡ଼ ହେବ । ତିନି ଦିନ ଧରି ଓଡ଼ିଶା ଉପକୂଳରେ ବୁଲିଲା ପରେ ୨୮ ତାରିଖ ଭୋର୍‌ ସମୟରେ ସ୍ଥଳଭାଗରେ ପଶିବ । ପାରାଦୀପରୁ ଧମାରା ବନ୍ଦର ଭିତରେ ମାଡ଼ ହେବ । ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆକଳନ କରିଛି ।

ଆଇଏମ୍‌ଡ ଜିଏଫଏସ୍‌ ମଡେଲ ଚିତ୍ର ଦର୍ଶାଇଛି, ୨୫ ବେଳକୁ ବାତ୍ୟା ଓଡ଼ିଶା ପାଖାପାଖି ପଳାଇ ଆସିଥିବ । କିନ୍ତୁ ଏହା ସମୁଦ୍ରରେ ଢେର ସମୟ ରହିବ । ୨୮ରେ ସକାଳ ସାଢେ ୫ଟା ସମୟରେ ଓଡ଼ିଶାରେ ପଶିବ । କିନ୍ତୁ ବାତ୍ୟାର ପ୍ରଭାବ କ’ଣ ରହିବ, ପବନ ବେଗ କେତେ ରହିବ ତା ଉପରେ ଆଇଏମ୍‌ଡି କୌଣସି ପୂର୍ବାନୁମାନ କରିନି ।

ହେଲେ ଭିନ୍ନ ପୂର୍ବାନୁମାନ ଆଙ୍କିଛନ୍ତି ଆନ୍ତର୍ଜାତିକ ପାଣିପାଗ ମଡେଲ । ଅଧିକାଂଶ ମଡେଲ୍‌ କହୁଛି, ୨୫ ତାରିଖରେ ବାତ୍ୟା ସ୍ଥଳଭାଗରେ ପ୍ରବେଶ କରିବ ବାଲେଶ୍ୱରଠୁ ବାଂଲାଦେଶ ମଧ୍ୟରେ । ସମ୍ଭାବ୍ୟ ବାତ୍ୟା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ସତର୍କତା ଜାରି କରିଛନ୍ତି । ୭ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ବାତ୍ୟା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଜିଲ୍ଲାପାଳଙ୍କୁ କୁହାଯାଇଛି ।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨୫ ତାରିଖରେ ବାତ୍ୟା ଲ୍ୟାଣ୍ଡଫଲ କରିପାରେ । ତେବେ ଦୀପାବଳିରେ ଅଧିକ ବର୍ଷା ହେବ । ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଗୁରୁବାର ଅପରାହ୍ନ ବା ଶୁକ୍ରବାର ସୁଦ୍ଧା ଲଘୁଚାପରେ ବଦଳିବ । ଦକ୍ଷିଣ ବଙ୍ଗୋପସାଗରରେ ପ୍ରତିକୂଳ ପାଗ ଯୋଗୁ ୨୨ତାରିଖ ଯାଏ ଦକ୍ଷିଣ ବଙ୍ଗୋପସାଗରରେ ରହିବ ।

ଲଘୁଚାପଟି ୨୨ରେ ଦକ୍ଷିଣ ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିବ । ୨୩ ସକାଳ ସୁଦ୍ଧା ଗଭୀର ଅବପାତ ରୂପ ନେବ । ୨୩ରୁ ୨୫ ଭିତରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାୟୁମଣ୍ଡଳ ବାତ୍ୟା ଅନୁକୂଳ ଥିବ । ସେହି ସମୟରେ ବାତ୍ୟା ସୃଷ୍ଟି ହେବ । 

ବାତ୍ୟାର ୩ଟି ଗତିପଥ ଥିବା ସେ ଆକଳନ କରିଛନ୍ତି । କେନ୍ଦ୍ରାପଡାରୁ ଦୀଘାର ସଂଲଗ୍ନ ଅଞ୍ଚଳରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ସାଗର ଦୀପ ବା ବାଂଲାଦେଶର ଚିତଙ୍ଗ ଅଞ୍ଚଳରେ ବାତ୍ୟା ଲ୍ୟାଣ୍ଡଫଲ୍‌ କରିପାରେ । ପଶ୍ଚିମବଙ୍ଗ ଓ ସଂଲଗ୍ନ ସାଗର ଦୀପରେ ଏହା ଲ୍ୟାଣ୍ଡଫଲ କରିବା ସମ୍ଭାବନା ଅଧିକ ବୋଲି ଡ.ପଶୁପାଳକ କହିଛନ୍ତି । ତେବେ ରାଜ୍ୟରେ ୨୩ରୁ ୨୫ ତାରିଖ ଯାଏ ବର୍ଷା ହେବ । ଉପକୂଳରେ ଘଣ୍ଟା ପ୍ରତି ୬୦କିମି ବେଗରେ ପବନ ବହିପାରେ । ପବନର ଝଟ୍‌କା(ଗଷ୍ଟିଂ) ୭୫କିମି ରହିବ ।   ବାତ୍ୟା ବାଲେଶ୍ୱର ବା ଦୀଘାରେ ଲ୍ୟାଣ୍ଡଫଲ କଲେ ୭୦ରୁ ୯୦କିମି ବେଗରେ ପବନ ବହିବ । ପବନର ଝଟ୍‌କା ୧୦୦କିମି ରହିବ । ୧୨୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ । ଲ୍ୟାଣ୍ଡଫଲ ନ କଲେ ବି ବର୍ଷା ଅଧିକ ହେବ ବୋଲି ସେ କହିଛନ୍ତି ।

ୱିଣ୍ଡି ଡଟ୍‌ କମ୍‌ ଜିଏଫଏସ୍‌ ମଡେଲ ଅନୁସାରେ ୨୫ରେ ବାତ୍ୟା ସିଧା ବାଂଲାଦେଶରେ ଲ୍ୟାଣ୍ଡଫଲ କରିବ । ଓଡ଼ିଶା ଉପକୂଳଠାରୁ ବହୁ ଦୂରରେ ଗତି କରି ବାଂଲାଦେଶକୁ ଯାଇ ମାଡ଼ ହେବ ।  କିନ୍ତୁ ଇସିଏମ୍‌ଡବ୍ଲୁଏଫ୍‌ର ଆକଳନ, ବାତ୍ୟା ଓଡିଶା ଆସିବ । ୨୫ ତାରିଖ ଦିନ ୨ଟା ବେଳକୁ ବାତ୍ୟା କେନ୍ଦ୍ରାପଡ଼ା ପାଖରେ ଥିବ । ଏହା କେନ୍ଦ୍ରାପଡ଼ାରେ ଘଷି ହୋଇ ବାଲେଶ୍ୱର ଆଡକୁ ମୁହାଁଇବ । ଜଳେଶ୍ୱର ବା ଦୀଘା ଭିତରେ ଏହା ସ୍ଥଳଭାଗରେ ମାଡ ହୋଇପାରେ ।

ସେପଟେ ଟ୍ରପିକାଲ ଟିଡ୍‌ ବିଟସ୍‌ ବାତ୍ୟାର ଲ୍ୟାଣ୍ଡଫଲକୁ ନେଇ ଦେଖାଇଥିôବା ଆକଳନ ଓଡ଼ିଶା ଆଡକୁ ଆସୁଛି । ତାର ଆକଳନ ହେଲା, ୨୫ରେ ବାତ୍ୟା ବାଲେଶ୍ୱରରୁ ଦିଘା ଭିତରେ ମାଡ଼ ହେବ ।

Leave a Reply

Your email address will not be published. Required fields are marked *