ଓଡ଼ିଶାଠାରୁ ବହୁ ଦୂରରେ ପଳାଇବ ସି-ତ୍ରଙ୍ଗ: ୨୪ରେ ବାତ୍ୟା ରୂପ ନେବ, ଆଲର୍ଟରେ ୮ ଜିଲ୍ଲା

୨୨/୧୦: ୨୪ ତାରିଖରେ ବାତ୍ୟା ହେବ । କିନ୍ତୁ ଓଡ଼ିଶାଠାରୁ ବହୁ ଦୂରରେ ପଳାଇବ । ଧାମରାଠାରୁ ୨୦୦କିମି ଦୂରରେ ଯିବ । ୨୫ ତାରିଖ ସନ୍ଧ୍ୟାରେ ବାତ୍ୟା ପଶ୍ଚିମବଙ୍ଗ ଓ ବାଲାଂଦେଶରେ ସ୍ଥଳଭାଗ ଛୁଇଁବ । ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି ।

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର(ଆଇଏମ୍‌ଡି) କରିଥିବା ଆକଳନ ଉପରେ ସୂଚନା ଦେଇ ଶ୍ରୀ ଜେନା କହିଛନ୍ତି, ସୃଷ୍ଟି ହୋଇଥିବା ଲଘୁଚାପ ୨୩ରେ ତୀବ୍ର ଅବପାତରେ ପରିଣତ ହେବ । ୨୪ରେ ବାତ୍ୟା ରୂପ ନେବ । ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବନି । ଉପକୂଳ ସହ ସମାନ୍ତରାଳ ହୋଇ ପଳାଇବ । ଧାମରାର ପୂର୍ବରେ ୨୦୦କିମି ଦୂରରେ ବାତ୍ୟା ଅତିକ୍ରମ କରିବ । ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱରର ଅଳ୍ପ କିଛି ଅଞ୍ଚଳରେ ୫୦ରୁ ୬୦କିମି ବେଗରେ ପବନ ବହିବାର ସମ୍ଭାବନା ଅଛି । ଅନ୍ୟ ସ୍ଥାନରେ ୩୦କିମି ବେଗରେ ପବନ ବହିପାରେ । ଅଧିକ ବେଗରେ ପବନ ବହିବନି । ପବନଜନିତ ବିଶେଷ କ୍ଷୟକ୍ଷତିର ଆଶଙ୍କା ନ ଥିବା ସେ କହିଛନ୍ତି ।

ବାତ୍ୟା ପ୍ରଭାବରେ ୨୪ରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ଆଶଙ୍କା ଅଛି । କିଛି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ଏବେ ବାତ୍ୟା ଗତିପଥର ଚିତ୍ର ଆସି ସାରିଲାଣି । ଓଡ଼ିଶାକୁ କୌଣସି ବଡ଼ ବିପଦର ଆଶଙ୍କା ନାହିଁ । ଲୋକେ ଆତଙ୍କିତ ହୁଅନ୍ତୁ ନାହିଁ । ବର୍ଷାର ପ୍ରଭାବ ନ ଥିବାରୁ ଦୋକାନ, ବଜାର ଖୋଲା ରହିବ । ଏଣୁ ବଜାରରେ କେହି ଅଯଥାରେ ଭିଡ଼ କରନ୍ତୁ ନାହିଁ ବୋଲି ସେ କହିଛନ୍ତି । ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି । ୮ଟି ଜିଲ୍ଲା ପ୍ରଶାସନକୁ ସଜାଗ ରଖାଯାଇଛି । ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ୍ରାଫ୍‌, ଏନଡିଆରଏଫ୍‌, ଅଗ୍ନିଶମ ବିଭାଗ, ତଟରକ୍ଷୀ ବାହିନୀ ଓ ନୌସେନା ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ସତର୍କତା ପଦକ୍ଷେପ ଭାବେ ଓଡ୍ରାଫ୍‌, ଏନଡିଆରଏଫ୍‌, ଅଗ୍ନିଶମ ବିଭାଗକୁ ନିୟୋଜିତ କରାଯିବ । କୌଣସି ଜରୁରୀ ପରିସ୍ଥିତି ସୃଷ୍ଟି ହେଲେ ଆମେ ଏହାକୁ ମୁକାବିଲା କରିପାରିବୁ ବୋଲି ଶ୍ରୀ ଜେନା କହିଛନ୍ତି ।

ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀମାନେ ତୁରନ୍ତ ସମୁଦ୍ର ଭିତରୁ ଫେରି ଆସନ୍ତୁ । ଆସନ୍ତା ୨୬ ତାରିଖ ଯାଏ କେହି ସମୁଦ୍ର ଭିତରକୁ ନ ଯିବାକୁ ସେ ଅପିଲ୍‌ କରିଛନ୍ତି । ଚାଷୀମାନଙ୍କୁ ଆବଶ୍ୟକ ଉପଦେଶ ଓ ସହାୟତା ଯୋଗାଇବାକୁ କୃଷି ବିଭାଗକୁ କୁହାଯାଇଛି ।

ଆସନ୍ତା ନଭେମ୍ବର ପ୍ରଥମ ସପ୍ତାହରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ଆଇଏମ୍‌ଡି ଆକଳନ କରିଛି । ୨୩, ୨୪ ଓ ୨୫ ତାରିଖ ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ୨୩ରେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ ପୁରୀରେ ପ୍ରବଳ ବର୍ଷା ହୋଇପାରେ । ୨୪ରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁରରେ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମରେ ପ୍ରବଳ ବର୍ଷା ହୋଇପାରେ । ୨୫ରେ ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ପ୍ରବଳ ବର୍ଷା ଆଶଙ୍କା ଅଛି ।

ତେବେ ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଦୀପାବଳିରେ ପାଗ ଶୁଖିଲା ଓ ଖରାଟିଆ ରହିବ । ବାତ୍ୟାର ପ୍ରଭାବ ରାଜ୍ୟରେ କମ୍‌ ରହିବ ଓ ଆଦୌ ରହିନପାରେ । ୨୪ରେ ବାୟୁର ଚାପ ଅଧିକ ରହୁଥିବାରୁ ଓଡ଼ିଶାକୁ ବାତ୍ୟା ଆସିବନି । ସେପଟେ ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *