ଆଖି ବୁଜିଲା ହାତୀ ‘ପ୍ରେମା’, ଝୁରୁଛନ୍ତି ବାସନ୍ତୀ ଓ ହୀରା

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ହାତୀଶାଳରେ ଶୁକ୍ରବାର ଶେଷନିଃଶ୍ୱାସ ତ୍ୟାଗ କରିଛି ମାଈ ହାତୀ ‘ପ୍ରେମା’(୬୮) । କିଛି ମାସ ହେବ ପ୍ରେମାର ଆଗ ବାମ ଗୋଡ଼ରେ ଏକ ମାଂସପିଣ୍ଡୁଳା ଧୀରେ ଧୀରେ ବୃଦ୍ଧି ପାଉଥିଲା । ପ୍ରାଣୀ ଉଦ୍ୟାନର ଚିକିତ୍ସକ ମାଂସପିଣ୍ଡୁଳାକୁ ଦୁଇ ଥର ଅପରେସନ କରି କାଟି ବାହାର କରିଥିଲେ । ମାଂସଟି ଆଉ ବଢୁ ନଥିବା ବେଳେ ପ୍ରେମା ସମ୍ପୂର୍ଣ୍ଣ ସୁସ୍ଥ ଥିଲା ।

ପ୍ରାୟ ଏକ ମାସ ହେବ ସେ ହଠାତ ଛୋଟେଇ ଚାଲୁଥିଲା । ତେଣୁ ତାର ବିଭିନ୍ନ ପରୀକ୍ଷା ପରେ ଡାହାଣ ଗୋଡ଼ରେ ଗଣ୍ଠିବାତ ଥିବା ଜଣାପଡ଼ିଥିଲା । ପ୍ରେମାର ଗୋଡ଼ ଗଣ୍ଠି ଦରଜ ହେବା ସହିତ ସେ ଛୋଟାଉଥିଲା । ତେଣୁ ଓୟୁଏଟିର ପ୍ରଫେସରଙ୍କ ତତ୍ତ୍ୱାବଧାନରେ ତାର ଚିକିତ୍ସା ଆରମ୍ଭ କରାଯାଇଥିଲା । କିନ୍ତୁ ଦିନକୁ ଦିନ ପ୍ରେମା ଅଧିକ ଅସୁସ୍ଥ ହେବାରେ ଲାଗିଥିଲା । ଠିକ ଭାବରେ ମଧ୍ୟ ଖାଦ୍ୟ ଗ୍ରହଣ କରିପାରୁନଥିଲା । ତେଣୁ ତାକୁ ସାଲାଇନ ସହିତ ଭିଟାମିନ, ଆଣ୍ଟିବାୟୋଟିକ ଇଞ୍ଜେକସନ ଦିଆଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା । କିନ୍ତୁ ଗୁରୁବାର ସକାଳୁ ପ୍ରେମା ତାର ଗୋଡ଼ରେ ଶରୀରର ଭାର ବହନ କରିବାରେ ଅସମର୍ଥ ହେବାରୁ ହଠାତ ତଳେ ପଡ଼ିଯାଇଥିଲା ।

କର୍ତ୍ତୃପକ୍ଷ ତାକୁ ଉଠାଇବାକୁ ବହୁ ଚେଷ୍ଟା କରି ଶୁକ୍ରବାର ତାକୁ ଠିଆ କରାଇ ଅନ୍ୟତ୍ର ଏକ ସ୍ଥାନରେ ଚିକିତ୍ସା ଜାରିଥିବା ବେଳେ ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ପ୍ରେମା ଆଖିବୁଜିଥିଲା । ପ୍ରେମାର ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନରେ ହାତୀ ସଂଖ୍ୟା ୩କୁ ଖସିଆସିଛି । ପ୍ରେମାର ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ଶନିବାର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ଜଣାପଡ଼ିବ ବୋଲି କର୍ତ୍ତୃପକ୍ଷଙ୍କଠାରୁ ସୂଚନା ମିଳିଛି ।

ପ୍ରେମା ଦୀର୍ଘ ୩୭ ବର୍ଷ ଧରି ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ମନୋରଞ୍ଜନ କରିଆସୁଥିଲା । ସେତିକି ନୁହେଁ ପ୍ରାୟ ୩୦ ବର୍ଷ ପୂର୍ବେ ୫ ବର୍ଷ ଧରି ପ୍ରେମା ପୁରୀକୁ ରଥଯାତ୍ରା ଓ ବାହୁଡ଼ା ଯାତ୍ରାବେଳେ ଯାଇ ଯାତ୍ରାର ଆକର୍ଷଣ ସାଜିଥିଲା । ଏବେ ‘ପ୍ରେମା’କୁ ତାର ଦୁଇ ସାଥୀ ବାସନ୍ତୀ ଓ ହୀରା ନପାଇ ଝୁରୁଛନ୍ତି । ପଶୁମାନେ ସେମାନେ ନିଜ ନିଜ କଥା ବୁଝି ପାରନ୍ତି । ହୀରା ଜାଣିଥିଲା ପ୍ରେମା ଅସୁସ୍ଥ ହୋଇ ପଡିଯାଇଛି । ସେ ଆଉ ଉଠିପାରିବ ନାହିଁ । ଗତ ଗୁରୁବାର ପ୍ରେମା ପଡ଼ିଗଲା ପରେ ହୀରା ବନ୍ଧା ହୋଇଥିଲେ ମଧ୍ୟ ତାକୁ ଉଠାଇବାକୁ ବହୁ ଚେଷ୍ଟା କରୁଥିଲା । ଏପରି ସମସ୍ୟା ହୋଇଥିଲା ଯେ କର୍ତ୍ତୃପକ୍ଷ ବାଧ୍ୟ ହୋଇ ହୀରାକୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ ।

୧୯୮୫ ମସିହାରେ ମାଡ୍ରାସର ଭନ୍ଦାଲୁର ଚିଡିଆଖାନାରୁ ୩୧ ବର୍ଷ ବୟସ ହୋଇଥିବା ବେଳେ ‘ପ୍ରେମା’ ଓ ୨୧ ବର୍ଷର ‘ବାସନ୍ତୀ’କୁ ଅଦଳବଦଳ ପ୍ରକ୍ରିୟାରେ ଅଣାଯାଇଥିଲା । ସେତେବେଳେ ଦୁଇ ମାଈ ହାତୀ ସମ୍ପୂର୍ଣ୍ଣ ଯୌବନରେ ଉପନୀତ ହୋଇସାରିଥିଲେ । ଏଠାକୁ ଆସିବା ପରେ ବାସନ୍ତୀ ଗର୍ଭବତୀ ଥିବା ଜଣାପଡ଼ିଥିଲା । କିନ୍ତୁ ପ୍ରେମା ପାଇଁ କର୍ତ୍ତୃପକ୍ଷ ସାଥୀ ଯୋଗାଡ଼ କରିପାରିନଥିଲେ । ସେବେଠାରୁ ପ୍ରେମା ସାଥୀ ବିନା ଜୀବନ ବିତାଇଥିଲା ।

ପ୍ରେମାର ମୃତ୍ୟୁ ହେବା ପରେ ପ୍ରାଣୀ ଉଦ୍ୟାନରେ ହାତୀ ସଂଖ୍ୟା ୩କୁ ଖସିଆସିଛି । ସେଥିରେ ଅଛନ୍ତି ୫୮ ବର୍ଷୀୟା ରୋଗିଣା ମାଈ ହାତୀ ବାସନ୍ତୀ । ୨୪ ବର୍ଷୀୟା ମାଈ ହାତୀ ‘ହୀରା’ ଓ ୫ ବର୍ଷୀୟା ମାଈ ହାତୀ ‘ମାମା’ । ‘ମାମା’କୁ ଏପର୍ଯ୍ୟନ୍ତ ପର୍ଯ୍ୟଟକଙ୍କଠାରୁ ଦୂରରେ ରଖାଯାଇଛି । ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ମନୋରଞ୍ଜନ କରାଇବା ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ମିଳିନାହିଁ ।

ଏବେ ନନ୍ଦନକାନନକୁ ଏକ ମାତ୍ର ଭରସା ‘ହୀରା’ । ୧୯୯୮ ଡିସେମ୍ବର ୧୬ରେ ଚନ୍ଦକା ଅଭୟାରଣ୍ୟର ମୁନସିଂପାଟଣା ଗ୍ରାମରୁ ମାଈ ହାତୀ ହୀରା ୩ ମାସର ହୋଇଥିବା ବେଳେ ଉଦ୍ଧାର ହୋଇ ଆସିଥିଲା । ବନବିଭାଗ ଛୁଆହାତୀଟିକୁ ଉଦ୍ଧାର କରି ଓୟୁଏଟିକୁ ପରେ ପ୍ରାଣୀ ଉଦ୍ୟାନକୁ ଆଣିଥିଲା ।

Leave a Reply

Your email address will not be published. Required fields are marked *