ଧାମନଗର ଉପ-ନିର୍ବାଚନ: ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ, ଅବନ୍ତୀ ଦାସଙ୍କ ପାଇଁ କରିବେ ଭର୍ଚୁଆଲ୍ ପ୍ରଚାର

୩୧/୧୦: ୩ ତାରିଖରେ ଭୋଟ୍‌, ୬ରେ ଗଣତି । ୧ ତାରିଖ ସନ୍ଧ୍ୟାରେ ସରିବ ପ୍ରଚାର । ପ୍ରଚାରକୁ ଆଉ ମାତ୍ର କେତେ ଘଣ୍ଟା ବାକି ରହିଛି । ଧାମନଗର ବ୍ଲକର ୪୪ ପଞ୍ଚାୟତ, ତିହିଡି ବ୍ଲକର ୧୩ ପଞ୍ଚାୟତ ଓ ଧାମନଗର ଏନଏସିର ୧୩ଟି ୱାର୍ଡ ଏବେ ଭୋଟ୍‌ ପ୍ରଚାରରେ କମ୍ପୁଛି । ତିହିଡ଼ି ବ୍ଲକର ୧୩ଟି ପଞ୍ଚାୟତରେ ସ୍ୱାଧୀନ ପ୍ରାର୍ଥୀଙ୍କ ପାଇଁ ବିଜେଡ଼ି ଭୋଟ୍‌ ବିଭାଜନ ହେବାର ସମ୍ଭାବନା ରହିଛି । ତେଣୁ ଧାମନଗର ବ୍ଲକର ଡୋବଲ୍‌ ଅଞ୍ଚଳ କୁହାଯାଉଥିବା ୧୧ଟି ପଞ୍ଚାୟତ ଉପରେ ଏବେ ବିଜେଡିର ନଜର । ଏହି ୨୪ଟି ପଞ୍ଚାୟତର ଭୋଟ୍‌ ଉପରେ ବିଜେଡ଼ି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଭର କରୁଛି ।

କିଏ ଜିତିବ ଧାମନଗରରେ ? ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ କେତେ ଭୋଟ୍‌ ପାଇବେ ? ବିଜେପି ଗଡ଼ ବଜାୟ ରଖିବ ନା ବିଜେଡ଼ି ଛଡ଼ାଇ ନେବ ? ଏପରି ଅନେକ ପ୍ରଶ୍ନ ଏବେ ଘୂରିବୁଲୁଛି ଧାମନଗର, ତିହିଡ଼ି ଅଞ୍ଚଳରୁ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦିନ ମାରାଥନ୍‌ ପ୍ରଚାର କରିଯିବା ପରେ ବିଜେପି ଶିବିର ଏବେ ଉତ୍ସାହିତ । ବିଜେପି ନେତା ଓ କର୍ମୀଙ୍କ ମନୋବଳ ଶୀର୍ଷ ଛୁଇଁଛି । ବାପାଙ୍କ ବିୟୋଗ ପ୍ରଥମ ଥର ନିର୍ବାଚନ ଲଢ଼ୁଥିବା ସୂରଜ ସୂର୍ଯ୍ୟବଂଶୀ ମଧ୍ୟ ଗାଁ ଗାଁ ବୁଲୁଛନ୍ତି । ଧାମନଗରର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ନେତା ମନମୋହନ ସାମଲ ଏବେ ସୂରଜଙ୍କ ପାଇଁ ବଡ଼ ଅସ୍ତ୍ର ପାଲଟିଛନ୍ତି । ଦିବଙ୍ଗତ ବିଷ୍ଣୁ ସେଠୀଙ୍କ ନିଜସ୍ୱ ସଂଗଠନ ସହ ମନମୋହନଙ୍କ ସମର୍ଥନ ମିଶି ସୂରଜ ବେଶ ବଳୀୟାନ ହୋଇଛନ୍ତି । ଯେକୌଣସି ମତେ ଏହି ସିଟ୍‌ ହାସଲ କରି ରାଜ୍ୟରେ ଉପନିର୍ବାଚନରେ ବିଜେଡ଼ିର ବିଜୟଧାରା ଭାଙ୍ଗିବାକୁ ବିଜେପି ଏବେ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି ।

ସେପଟେ ପ୍ରଥମ ଥର ଉପନିର୍ବାଚନରେ ଖୋଲଖୋଲି ବିଦ୍ରୋହର ସମ୍ମୁଖୀନ ହୋଇଥିବା ଶାସକ ବିଜେଡ଼ିର ରଣକୌଶଳ ଉପରେ ଏବେ ସମସ୍ତଙ୍କ ନଜର । ବିଜେଡ଼ିର ମାଳମାଳ ମନ୍ତ୍ରୀ, ବିଧାୟକ ଗତ ଦୁଇ ସପ୍ତାହ ହେଲା ଡେରା ପକାଇଛନ୍ତି । ଘନ ଘନ ମନ୍ତ୍ରଣା, ବୈଠକ ଓ ପ୍ରଚାର ଚାଲିଛି । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭର୍ଚୁଆଲରେ ପ୍ରଚାର କରିବେ । ସାରା ନିର୍ବାଚନମଣ୍ଡଳୀରେ ଏନେଇ ୧୩ଟି ମଞ୍ଚ ପ୍ରସ୍ତୁତି ହୋଇସାରିଛି । ଧାମନଗର ବ୍ଲକ୍‌ର ଚୁଡାକୁଟି, ରାଧାବଲ୍ଲଭପୁର, ଅସୁରାଳି, କାସିମପୁର, ଧୁଷୁରୀ, ଭଟ୍ଟସାହି, ଦୋବଲ, କରଦା, ଧାମନଗର ଓ ତିହିଡି ବ୍ଲକ୍‌ର ବୋଡକ, କାଁପଡା, ଦୋଳସାହି ବାସନ୍ତୀ ପଡିଆ ଓ ଅଚକ ଦୁର୍ଗାପଡିଆ ସ୍ଥାନ ନିରୂପଣ ହୋଇଛି । ପ୍ରତି ସଭାସ୍ଥଳରେ ୪ ହଜାରରୁ ୫ ହଜାର କର୍ମୀଙ୍କୁ ଏକଜୁଟ କରିବାକୁ ବିଜେଡି ଲକ୍ଷ୍ୟ ରଖିଛି । ପ୍ରତି ନିର୍ବାଚନୀ ସଭା ପଡିଆରେ ବଡ ବଡ ଏଲଇଡି ଲାଗିବ । ଆଉ ନବୀନଙ୍କ ମ୍ୟାଜିକ୍‌ ଅବନ୍ତୀଙ୍କ ପାଇଁ ବରଦାନ ହେବ ବୋଲି ବିଜେଡ଼ି ଶିବିର ଆଶାବାଦୀ ।

୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଷ୍ଣୁ ସେଠୀ ୮୦ ହଜାର ୧୧୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଦାସ ୭୫ ହଜାର ୪୫୯ ଖଣ୍ଡ ଭୋଟ ପାଇଥିଲେ । କଂଗ୍ରେସ ୭ ହଜାର ୨୫୮ ଖଣ୍ଡ ଭୋଟରେ ସୀମିତ ରହିଥିଲା । ବିଜେପିର ବିଜୟ ବ୍ୟବଧାନ ଥିଲା ମାତ୍ର ୪୬୫୨ ଖଣ୍ଡ ଭୋଟ୍‌ । କିନ୍ତୁ ଗତ ପଞ୍ଚାୟତ ନିର୍ବାଚନରେ ଏହି ଚିତ୍ର ଓଲଟି ଯାଇଥିଲା । ନିର୍ବାଚନମଣ୍ଡଳୀର ସମସ୍ତ ଜୋନ୍‌ ଓ ଏନଏସିରେ ବିଜେଡ଼ି ବିଜେପିଠାରୁ ପ୍ରାୟ ୨୮ ହଜାର ଭୋଟରେ ଆଗୁଆ ରହିଥିଲା । ତେଣୁ ଉପନିର୍ବାଚନରେ ପଞ୍ଚାୟତ ନିର୍ବାଚନ ଫଳାଫଳ ଦୋହରାଇବାକୁ ବିଜେଡି ଶିବିର ସବୁ ଉଦ୍ୟମ କରୁଛନ୍ତି । ତେବେ ବିଜୟ ରାସ୍ତାରେ କଣ୍ଟା ସାଜିଛନ୍ତି ବିଦ୍ରୋହୀ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ । ଯଦି ପ୍ରତି ପଞ୍ଚାୟତରୁ ରାଜୁ ଦାସ କିଛି କିଛି ବିଜେଡି ଭୋଟ ସଂଗ୍ରହ କରନ୍ତି ତେବେ ବିଜେପି ପାଇଁ ପଥ ପରିଷ୍କାର ହୋଇଯିବ । ବିଦ୍ରୋହୀ ପ୍ରାର୍ଥୀ ରାଜେନ୍ଦ୍ର ଦାସଙ୍କ ଭୋଟ ସଂଗ୍ରହ ରାସ୍ତାକୁ ବନ୍ଦ କରିବାକୁ ବିଜେଡି ହେଭିୱେଟ ନେତା ପ୍ରାଣପ୍ରଣେ ଚେଷ୍ଟା କରୁଛନ୍ତି ।

ତିହିଡ଼ି ବ୍ଲକ ଅଧୀନ ୧୩ ପଞ୍ଚାୟତର ଭୋଟ୍‌ ନିର୍ଣ୍ଣାୟକ ହେବ । ଏହି ପଞ୍ଚାୟତଗୁଡ଼ିକରୁ ରାଜେନ୍ଦ୍ର ଦାସଙ୍କ ସପକ୍ଷରେ କେତେ ପଡିବ, ତାକୁ ନେଇ ଅଙ୍କକଷା ଚାଲିଛି । ତିହିଡି ବ୍ଳକ୍‌ର ୭ ନମ୍ବର ଜୋନରେ ରହିଛି କାଁପଡା ପଞ୍ଚାୟତ । ଏହି ପଞ୍ଚାୟତର ବାସିନ୍ଦା ହେଲେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ । ତିହିଡି ବ୍ଲକର ବାରୋ, ବିଲଣା, ବୋଡକ, ତଳଗୋପବିନ୍ଧା, କୁବେରା, ଶ୍ୟାମସୁନ୍ଦରପୁର, ଗୁଆମାଳ, ଦୋଳସାହି, ନୟାନନ୍ଦ, ପାଳିଆବିନ୍ଧା, ଅଚକ ଓ ତାଳପଦା ପଞ୍ଚାୟତରେ ରାଜୁ ବାବୁଙ୍କ ଦବଦବା ରହିଛି । ଯାହାକୁ ନେଇ ବିଜେଡି ଚିନ୍ତାରେ । ଏହି ୧୩ ପଞ୍ଚାୟତରେ ବିଜେଡି ୨୭,୮୨୫ ଭୋଟ ପାଇଥିବା ବେଳେ ବିଜେପି ୨୦,୮୧୫ ଭୋଟ ପାଇଥିଲା । ୭ ହଜାର ଭୋଟରେ ବିଜେଡି ପଞ୍ଚାୟତ ନିର୍ବାଚନରେ ଆଗୁଆ ଥିଲାବେଳେ ଚଳିତ ଉପନିର୍ବାଚନରେ ରାଜୁ ସେହି ଆଗୁଆ ୭ ହଜାର ଭୋଟକୁ ହାତେଇ ନେଇପାରନ୍ତି ।

ସେପଟେ ଧାମନଗର ବ୍ଲକର ୪୪ଟି ପଞ୍ଚାୟତରେ ଉଭୟ ବିଜେପି ଓ ବିଜେଡ଼ି ମଧ୍ୟରେ କଡା ମୁକାବିଲା । ଏହି ୪୪ଟିରୁ ଯାଜପୁର ଜିଲ୍ଲା ସୀମାକୁ ଲାଗି ରହିଥିବା ଡୋବଲ୍‌ ଅଞ୍ଚଳର ୧୧ଟି ପଞ୍ଚାୟତ ଏବେ ବିଜେଡ଼ି ଫୋକସରେ । ଜିଲ୍ଲା ପରିଷଦ ଜୋନ୍‌ ନଂ-୪ ଅନ୍ତର୍ଗତ ଏହି ପଞ୍ଚାୟତଗୁଡ଼ିକରେ ବିଜେଡ଼ି ଢ଼େର ଅଧିକ ଭୋଟ୍‌ ହାସଲ କରିବାକୁ ଟାର୍ଗେଟ କରିଛି । ଯଦି ଏଥିରେ ସଫଳତା ମିଳେ ତେବେ ଅବନ୍ତୀଙ୍କ ବିଜୟ ରାସ୍ତା କଣ୍ଟକିତଶୂନ୍ୟ ବୋଲି କୁହାଯାଉଛି । ଧାମନଗର ଏନଏସିରେ ମାତ୍ର ୮% ଭୋଟ୍‌ ଥିବା ବେଳେ ବାକି ୯୨% ଗ୍ରାମାଞ୍ଚଳ ଭୋଟ୍‌ । ଏନଏସି ଭୋଟ୍‌ ଉଭୟ ବିଜେଡି ଓ ବିଜେପି ବାଣ୍ଟି ନେବେ । ମାତ୍ର ଗ୍ରାମାଞ୍ଚଳ ଭୋଟରଙ୍କୁ ଯିଏ ଅଧିକ ଆକର୍ଷିତ କରିବ ସେ ହିଁ ହେବ ଧାମନଗରର ବାଜିଗର୍‌ ।

Leave a Reply

Your email address will not be published. Required fields are marked *