ଗୁଜୁରାଟ ଘଟଣା ପରେ ଚେତିଲା ପ୍ରଶାସନ, କମିଲା ଧବଳେଶ୍ୱର ଝୁଲାପୋଲ କ୍ଷମତା

୩୧/୧୦: ଗୁଜୁରାଟ ଝୁଲା ପୋଲ ଦୁର୍ଘଟଣା ପରେ କ୍ଟକ ପ୍ରଶାସନର ଚେତା ପସିଛି । କଟକ ଜିଲ୍ଲାର ଆଠଗଡ଼ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲ ସୁରକ୍ଷା ଉପରେ ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି ତତ୍ପରତା ।

ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲର ଲମ୍ବ ୨୫୪ ମିଟର ଥିବା ବେଳେ ଭାରସାମ୍ୟ କ୍ଷମତା ଥିଲା ୧୫୦୦ ଲୋକ । ୨୦୦୬ ମସିହାରେ ନିର୍ମିତ ହୋଇଥିବା ଏହି ଝୁଲାପୋଲ ରକ୍ଷଣ ବେକ୍ଷଣ ଅଭାବରୁ ଏବେ ଏହାର କ୍ଷମତା ୬୦୦ ଶହ ଥିବା ବେଳେ ଆଜି ଏହାକୁ କମାଇ ମାତ୍ର ୨୦୦ ଲୋକ ଯାତାୟତ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

କଟକ ଧବଳେଶ୍ୱର ଝୁଲାପୋଲକୁ ନେଇ ଚିନ୍ତା ବଢ଼ିଛି । କାର୍ତ୍ତିକ ମାସ କାରଣରୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଏହି ପୋଲ ଦେଇ ଯିବାଆସିବା କରୁଛନ୍ତି । ବର୍ଷବର୍ଷ ଧରି କ୍ଷମତାରୁ ଅଧିକ ଲୋକ ଯାତାୟତ କରୁଥିବାରୁ ଝୁଲାପୋଲରେ ଲାଗିଥିବା ଲୁହା କଡ଼ିଗୁଡ଼ିକ ଦୁର୍ବଳ ହୋଇଗଲାଣି । କୋଲ୍‌କାତାରୁ ଆସିଥିବା ବିଶେଷଜ୍ଞ ଟିମ୍‌ ଧବଳେଶ୍ୱର ଝୁଲା ପୋଲ ଦୁର୍ବଳ ହୋଇଥିବା ସ୍ୱୀକାର କରିବା ସହ ତୁରନ୍ତ ମରାମତି ପାଇଁ ପରାମର୍ଶ ଦେଇଛି ।

ଝୁଲାପୋଲ ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ(ଆର୍‌ଡି)ରୁ ଡକରା ପାଇ କୋଲକାତାର ନେହରୁ କଲୋନୀ ସ୍ଥିତ ଇଣ୍ଟିଗ୍ରେଟେଡ୍‌ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ୍‌ ଆଣ୍ଡ ସର୍ଭିସ୍‌ର ଅଭିଜିତ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ଏକ ବୈଷୟିକ ଟିମ୍‌ ପୋଲକୁ ଯାଞ୍ଚ୍‌ କରିଥିଲେ । ପୋଲର ପିଲାରର ତଳ ଅଂଶ ନଷ୍ଟ ହୋଇଯାଇଥିବା ବେଳେ ପୋଲ ଉପରକୁ ବାନ୍ଧି ରଖିଥିବା ଷ୍ଟେନ୍‌ଗୁଡ଼ିକ ଦୁର୍ବଳ ହୋଇଗଲାଣି ।

ଏହି ଷ୍ଟେନ୍‌ର କ୍ଷମତା ୨୦ ବର୍ଷ ଥିବା ବେଳେ ଅଧିକ ଓଜନ ବହନ କରୁଥିବାରୁ ୧୬ ବର୍ଷରୁ ଏହା ଖରାପ ହୋଇସାରିଲାଣି । ସେହିପରି ଲମ୍ବା ବୋଲ୍ଟଗୁଡ଼ିକ ବଙ୍କା ହୋଇଗଲାଣି । ତେଣୁ ଝୁଲାପୋଲର ତୁରନ୍ତ ମରାମତି ଆବଶ୍ୟକ ଥିବା ଟିମ୍‌ ମତଦେଇଛି । ପୋଲ ଯାଞ୍ଚ୍‌ ପରେ ବୈଷୟିକ ଟିମ୍‌ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀମାନଙ୍କର ଏକ ମିଳିତ ବୈଠକ ହୋଇଥିଲା ।

ଗୋଟିଏ ପଟେ ବୈଷୟିକ ଟିମ୍‌ ତୁରନ୍ତ ପୋଲ ମରାମତି କରିବାକୁ କହୁଥିବାବେଳେ ଅନ୍ୟପଟେ ଏବେ କାର୍ତ୍ତିକ ମାସରେ କାମ କରିବା ନେଇ ପ୍ରଶାସନ ଅକଳରେ ପଡ଼ିଛି । କାରଣ ଆଗକୁ ପଞ୍ଚକ ଓ ବଡ଼ଓଷା ଥିବାରୁ ବେଳେ ଧବଳେଶ୍ୱରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି । ତେଣୁ ଏହି ସମୟରେ ପୋଲ ଉପରେ ଅଧିକ ଚାପ ସୃଷ୍ଟିର ଆଶଙ୍କା କରାଯାଉଛି । ଅନ୍ୟପକ୍ଷରେ ମରାମତି ପାଇଁ ପୋଲରେ ଯାତାୟାତ ବନ୍ଦ କରାଯିବାର ଆବଶ୍ୟକତା ରହିଛି । ମାତ୍ର ଏହି ସମୟରେ ପୋଲରେ ଯାତାୟାତ ବନ୍ଦ କରିବା ଏକରକମ ଅସମ୍ଭବ । ତେଣୁ କାର୍ତ୍ତିକ ପୂର୍ଣ୍ଣିମା ପରେ ମରାମତି ଲାଗି ପ୍ରଶାସନ ଯୋଜନା କରିଥିବା ଜଣାପଡିଛି ।

୨୦୦୬ ମସିହାରେ ଧବଳେଶ୍ୱର ପୀଠକୁ ସଂଯୋଗ କରି ଆଠଗଡ଼ ପାଶ୍ୱର୍ରୁ ଝୁଲାପୋଲ ନିର୍ମାଣ କରାଯାଇଥିଲା । ଥରକେ ପ୍ରାୟ ୫ଶହରୁ ଅଧିକ ଲୋକ ଏହି ପୋଲ ଦେଇ ପୀଠକୁ ଯା’ଆସ କରିପାରିବେ । ଅବଶ୍ୟ ନିୟମିତ ବ୍ୟବଧାନରେ ବ୍ରିଜ୍‌ର ବିଭିନ୍ନ ଭାଗକୁ ନିରୀକ୍ଷଣ କରାଯାଇ ଏହାର ଆବଶ୍ୟକତା ମୁତାବକ ମରାମତି କରାଯାଏ । ବିଶେଷ କରି କଡ଼ିକବ୍‌ଜାରେ ଗ୍ରିସ୍‌ ଦିଆଯାଇ ଏହାକୁ ଅଏଲିଂ କରାଯାଇଥାଏ । ଏ ଭିତରେ ପ୍ରାୟ ୧୬ ବର୍ଷ ବିତିଲାଣି ।

କ୍ଷମତାରୁ ଅଧିକ ଶ୍ରଦ୍ଧାଳୁଙ୍କ ଯାତାୟାତ ଯୋଗୁଁ ଏହାର ବିଭିନ୍ନ ଅଂଶ ଦୁର୍ବଳ ହୋଇଆସିଥିବା ଦେଖିବାକୁ ମିଳିଲାଣି । ଯାତାୟାତ କ୍ଷମତା ହ୍ରାସ କରିବାକୁ ପୂର୍ବରୁ ବାରମ୍ବାର ଚେତାବନୀ ଦିଆଯାଇଥିବା ବେଳେ ଆଜି ଏନେଇ ଠୋସ୍‌ ପଦକ୍ଷେପ ନେବାପାଇଁ ଅଧିକାରୀମାନେ ଆଲୋଚନା କରିଛନ୍ତି । ଯାଞ୍ଚ୍‌ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସ୍‌ଡିଓ ଅଜୟ କୁମାର ମହାପାତ୍ରଙ୍କ ସହ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

ଏହି ଟିମ୍‌ ତାଙ୍କ ରିପୋର୍ଟ ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କୁ ପ୍ରଦାନ କରିଥିବାବେଳେ ସୁପାରିସ୍‌ ଅନୁସାରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସୋମନାଥ ପରିଡ଼ା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଧବଳେଶ୍ୱର ପୀଠକୁ ଯୋଡ଼ୁଥିବା ନୂଆ କଂକ୍ରିଟ୍‌ ସେତୁ କାମ ମାର୍ଚ୍ଚ ପୂର୍ବରୁ ସରିବ ନାହିଁ ବୋଲି ଜଣାପଡ଼ିଛି । ତେଣୁ ସେପର୍ଯ୍ୟନ୍ତ ଝୁଲା ସେତୁ ତିଷ୍ଠିପାରିବ କି ନାହିଁ ସେ ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *