ଆଜି କାର୍ତ୍ତିକ ମାସର ଶେଷ ଦିନ : କାର୍ତ୍ତିକ ପୂର୍ଣ୍ଣିମାରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂରତି

ଆଜି ପବିତ୍ର କାର୍ତ୍ତିକ ମାସ ପୂର୍ଣ୍ଣିମା । ଶ୍ରୀମନ୍ଦିର ରତ୍ନ ସିଂହାସନରେ କାଳିଆ ଠାକୁର । ରାଜରାଜେଶ୍ୱରୀ ବା ସୁନାବେଶରେ ସଜ୍ଜିତ ହୋଇ ଦର୍ଶନ ଦେଉଛନ୍ତି ଚର୍ତୁଦ୍ଧାମୂରତି । ମହଣ ମହଣ ସୁନା ଅଳଙ୍କାରରେ ଆଚ୍ଛାଦିତ ହୋଇଛନ୍ତି ମହାପ୍ରଭୁ । ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ମଙ୍ଗଳ ଆଳତୀ, ମଇଲମ, ତଡପଲାଗି ଓ ଅବକାଶ ନୀତି ବଢ଼ିବା ପରେ ସିଂହାରୀ ସେବାୟତ ମହାପ୍ରଭୁଙ୍କୁ ସୁନାବେଶରେ ସଜ୍ଜିତ କରିଥିଲେ ।

ଭଣ୍ଡାର ମେକାପ ରତ୍ନଭଣ୍ଡାରରୁ ଅଳଙ୍କାର ଗୁଡ଼ିକ ବାହାର କରିବା ପରେ ସିଂହାରି ସେବାୟତ ସେଗୁଡ଼ିକୁ ମହାପ୍ରଭୁଙ୍କୁ ଲାଗି କରିଥିଲେ । କାର୍ତ୍ତିକ ମାସ ପୂର୍ଣ୍ଣିମାରେ ପାରମ୍ପରିକ ରୀତିମତେ ଶ୍ରୀମନ୍ଦିରର ରତ୍ନସିଂହାସନ ଉପରେ ବିରାଜିତ ତିିନି ଠାକୁରଙ୍କ ରାଜରାଜେଶ୍ୱରୀ ବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଜିଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜିଉମାନଙ୍କୁ ସୁନାବେଶରେ ସଜାଇଥାନ୍ତି । ଏହି ବେଶରେ ଠାକୁରମାନେ ଶ୍ରୀଭୂଜ, କିରୀଟ, ଶ୍ରୀପୟର, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, କୁଣ୍ଡଳ, ଚିତା, ଚନ୍ଦ୍ରିକା, ଶଙ୍ଖ, ଚନ୍ଦ୍ର, ହଳ, ମୂଷଳ, ତ୍ରିଶାଖା, ଅଳକା, ତଡ଼ଗି, ଶ୍ରୀମୁଖ ପଦ୍ମ, ଘାଗଡ଼ା ମାଳି, କଦମ୍ବ ମାଳି, ହରିଡ଼ା କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ବାଘନଖି ମାଳି ଓ ସେବତ ମାଳି ଆଦି ରତ୍ନ ଅଳଙ୍କାର ଦାରଣ କରିଥାନ୍ତି ।

ଏହି ବେଶରେ ଗୋପାଳ ବଲ୍ଲଭ, ସକାଳ ଧୁପ ଓ ଭୋଗ ମଣ୍ଡପ ଆଦି ନୀତି ଶେଷ ହେବା ପରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ସାହାଣମେଲା କରାଯାଇଛି । ସେପଟେ କାର୍ତ୍ତିକ ମାସର ଶେଷ ଦିନ ଥିବାରୁ ମହୋଦଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇବା ଓ ବୁଡ଼ ପକାଇବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଏଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *