ସରିଲା ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତଙ୍କ କାର୍ଯ୍ୟାଳୟ : ଶେଷ ଦିନରେ ହେଲେ ଭାବବିହ୍ୱଳ, ଦାୟିତ୍ୱ ନେବେ ଜଷ୍ଟିସ୍ ୱାଇ ଚନ୍ଦ୍ରଚୂଡ଼

ସୋମବାର ଦେଶର ପ୍ରଧାନ ବିଚାରପତି ଭାବେ ଚିଫ୍ ଜଷ୍ଟିସ ୟୁୟୁ ଲଳିତଙ୍କୁ ବିଦାୟକାଳୀନ ସମ୍ବର୍ନ୍ଧନା ଦିଆଯାଇଛି । ସୋମବାର କାର୍ଯ୍ୟକାଳର ଶେଷ ଦିନ ରହିଥିବାବେଳେ ୮ ତାରିଖରେ ଅବସର ନେବେ । କାର୍ଯ୍ୟଦିବସର ଶେଷ ଦିନରେ ୟୁ ୟୁ ଲଳିତ ମୋଟ ୬ଟି ମାମଲା ଉପରେ ସେ ଶୁଣାଣୀ କରିଥିଲେ ।

ଚଳିତ ବର୍ଷ ସେ‌ପ୍ଟେମ୍ବର ପ୍ରଥମ ସପ୍ତାହରେ ଜଷ୍ଟିସ ଲଳିତ ବରିଷ୍ଠ ଆଇନଜୀବୀ ମାନ୍ୟତା ସଂପର୍କିତ ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଦାଖଲ କରାଯାଇଥିବା ରିଟ୍‌ ପିଟିସନ୍‌କୁ ଖାରଜ କରି ଦେଇଥିଲେ । ଗତ ସପ୍ତାହରେ ସମ୍ବିଧାନର ସ୍ବତନ୍ତ୍ର କ୍ଷମତାର ପ୍ରୟୋଗ କରି ହେମଗିରିସ୍ଥିତ ମହାନଦୀ ଖୋଲାମୁହଁ କୋଇଲା ଖଣି ବିସ୍ଥାପିତ ୪ ଟି ଗାଁ କିରିପସିରା, ତୁମୁଳିଆ, ରତନସରା, ଝୁପୁରଙ୍ଗାରେ ୨୦୧୩ ଜମି ଅଧିଗ୍ରହଣ ନୀତି ଲାଗୁହେବ ବୋଲି ଜଷ୍ଟିସ ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ରାୟ ଦେଇଥିଲେ ।

ଯାହା ଫଳରେ ବିସ୍ଥାପିତଙ୍କୁ କ୍ଷତିପୂରଣ, ଥଇଥାନ, ପୁନର୍ବାସ, ନିଯୁକ୍ତି ସୁବିଧାର ବାଟ ଖୋଲିବା ସମ୍ଭବପର ହୋଇପାରିଛି । ସେହିଭଳି ଗତ ସପ୍ତାହରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ଜଷ୍ଟିସ ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଓସିଏଲ୍‌ ଏବଂ ରାଉରକେଲା ଇସ୍ପାତ କାରଖାନା ଇଣ୍ଡଷ୍ଟ୍ରିଆଲ ଏରିଆକୁ ଓଡ଼ିଶା ପ୍ରବେଶ କର ଆଇନ ପରିସରଭୁକ୍ତ କରିବା ନେଇ ରାଜ୍ୟ ସରକାରଙ୍କ ଦ୍ବାରା ଜାରି ବିଜ୍ଞପ୍ତିକୁ କାଏମ ରଖିଥିଲେ ।

ବିଦାୟୀକାଳିନ ଭାଷଣରେ ମୁଖ୍ୟ ବିଚାରପତି ନିଜର ୩୭ବର୍ଷର କ୍ୟାରିୟରକୁ ମନେପକାଇ କହିଥିଲେ ଏହା ତାଙ୍କ ପାଇଁ ବେଶ ଭଲ ଅନୁଭୁତିର ସମୟ ଥିଲା । ଯେଉଁଥିରେ ସେ ଅନେକ କିଛି ଅଭିଜ୍ଞତା ପାଇଥିବା କର୍ମଜୀବନର ଯାତ୍ରାର ବେଶ ଆନନ୍ଦ ଉଠାଇଛନ୍ତି । ୟୁୟୁ ଲଳିତଙ୍କ ପରେ ସୁପ୍ରିମକୋର୍ଟର ଆଗାମୀ ପ୍ରଧାନବିଚାରପତି ହେବେ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ । ଦେଶର ୫୦ତମ ସିଜେଆଇ ଭାବେ ଚନ୍ଦ୍ରଚୂଡ ଦାୟିତ୍ୱ ନେବେ ।

Leave a Reply

Your email address will not be published. Required fields are marked *