ଭୁଶୁଡ଼ିଲା ୟୁକ୍ରେନ୍‌ର ପାୱାର ଗ୍ରୀଡ୍‌, ବିଦ୍ୟୁତ ଓ ଜଳ ଯୋଗାଣ ସଂପୂର୍ଣ୍ଣ ଠପ୍: ୪୫ ଲକ୍ଷ ଲୋକ ବିଜୁଳିରୁ ବଞ୍ଚିତ

କିଏଭ୍‌ ,୦୮/୧୧: ଋଷ୍‌ ସେନା ବାରମ୍ବାର ଭିତ୍ତିଭୂମି ବ୍ୟବସ୍ଥା ଗୁଡ଼ିକୁ ଆକ୍ରମଣ କରିବାରୁ ୟୁକ୍ରେନ୍‌ର ପାୱାର ଗ୍ରୀଡ୍‌ ଭୁଶୁଡ଼ି ପଡ଼ିଛି । ଏହାଯୋଗୁ ଦେଶର ପ୍ରାୟ ୪୫ ଲକ୍ଷ ଲୋକ ବିଜୁଳି ସେବାରୁ ବଞ୍ଚିତ ହୋଇଛନ୍ତି । ସ୍ଥିତିରେ ସ୍ୱାଭାବିକତା ଫେରାଇ ଆଣିବାକୁ ୟୁକ୍ରେନ୍‌ ଯେତେ ଚେଷ୍ଟା କରୁଛି ପୁଟିନ୍‌ ସେନା ପୁଣି ମିସାଇଲ୍‌ ହମ୍‌ଲା କରି ସବୁ ବିଗାଡ଼ି ଦେଉଛି । ବାରମ୍ବାର ଆକ୍ରମଣ ଯୋଗୁ ଖେର୍‌ସୋନ୍‌ରେ ବିଦ୍ୟୁତ୍‌ ଭିତ୍ତିଭୂମି ବରବାଦ ହୋଇଯାଇଛି । ଏହାଯୋଗୁ ଏଠାକାର ଲୋକମାନେ ସମ୍ପୂର୍ଣ୍ଣ ବ୍ଲାକ୍‌ଆଉଟ୍‌ର ସମ୍ମୁଖୀନ ହେଉଛନ୍ତି ।

ଖେର୍‌ସୋନ୍‌ ପରେ ରାଜଧାନୀ କିଏଭ୍‌ ସ୍ଥିତି ମଧ୍ୟ ଖରାପ ହୋଇଛି । ଋଷ୍‌ ସେନା ଏଠାକାର ବିଦ୍ୟୁତ୍‌ ଭିତ୍ତିଭୂମି ଉପରେ ବାରମ୍ବାର ଟାର୍ଗେଟ୍‌ କରିବାରୁ ବିଜୁଳି ସେବା ସାଙ୍ଘାତିକ ଭାବେ ପ୍ରଭାବିତ ହୋଇଛି । ଏହାଯୋଗୁ ଜଳଯୋଗାଣ ଠପ୍‌ ହୋଇଯାଇଛି । ଏହି ସ୍ଥିତିକୁ ଦୃଷ୍ଟିରେ ରଖି ସରକାର କିଏଭ୍‌କୁ ଖାଲି କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ରାଜଧାନୀର ମେୟର ଭିଟାଲି କ୍ଲିସ୍‌କୋ କହିଛନ୍ତି, ସହରର ଲୋକମାନେ ସେମାନଙ୍କ ଘର ଛାଡ଼ିବାକୁ ପ୍ରସ୍ତୁତ ରହିବା ଉଚିତ । ଯେ କୌଣସି ମୁହୂର୍ତ୍ତରେ ସେମାନଙ୍କୁ ସହର ଖାଲି କରିବାକୁ ପଡ଼ିପାରେ ।

ରାଜଧାନୀ କିଏଭ୍‌ର ଅନେକ ଅଞ୍ଚଳକୁ ବିଜୁଳି ଯୋଗାଣ ବନ୍ଦ ରହିଛି । ଲକ୍ଷ ଲକ୍ଷ ଲୋକ ଏହି ସେବାରୁ ବଞ୍ଚି ହେଉଛନ୍ତି । ଜଳଯୋଗାଣ ବି ପ୍ରଭାବିତ ହୋଇଛି । ମରାମତି କାମ ପାଇଁ ମଧ୍ୟ ବିଜୁଳି କାଟିବାକୁ ପଡୁଛି । ଏଭଳି ସ୍ଥିତି ଲାଗିରହିଲେ, ଅଧିକ ଦିନ ଧରି ସରକାର ଏହାର ମୁକାବିଲା କରିପାରିବେ ନାହିଁ । ବାରମ୍ବାର ଭିତ୍ତିଭୂମି ବ୍ୟବସ୍ଥାକୁ ସଜାଡ଼ିବା ଆଉ ସମ୍ଭବପର ହେବନାହିଁ । ତେଣୁ ଲୋକମାନେ ସହର ଛାଡ଼ିବାକୁ ପ୍ରସ୍ତୁତ ହେବା ଆବଶ୍ୟକ ।

ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେନସ୍କି ରୁଷ୍‌କୁ ଚେତାବନୀ ଦେଇଛନ୍ତି । ଭିତ୍ତିଭୂମି ବ୍ୟବସ୍ଥାକୁ ବାରମ୍ବାର ଟାର୍ଗେଟ୍‌ କଲେ ଭୟଙ୍କର ପରିଣତି ଭୋଗିବାକୁ ହେବ ବୋଲି କହିଛନ୍ତି । ଏପଟେ ଲୋକଙ୍କୁ ସତର୍କ କରାଇ କହିଛନ୍ତି, ରୁଷ୍‌ କିଏଭ୍‌ର ଭିତ୍ତିଭୂମି, ଶକ୍ତି ବ୍ୟବସ୍ଥାକୁ ନଷ୍ଟ କରିବା ପାଇଁ ଯେ କୌଣସି ସମ୍ଭାବ୍ୟ ପଦକ୍ଷେପ ଆପଣାଇପାରେ । ତାହା ପାଇଁ ସମସ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ ।

ଋଷୀ ଆକ୍ରମଣ ଯୋଗୁ ୟୁକ୍ରେନ୍‌ର ୪୦% ବିଦ୍ୟୁତ୍‌ ବ୍ୟବସ୍ଥା ଭୁଶୁଡ଼ି ସାରିଲାଣି । ଖେର୍‌ସୋନ୍‌ ଏହାଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାରୁ ଏଠାରେ ସମ୍ପୂର୍ଣ୍ଣ ବ୍ଲାକ୍‌ଆଉଟ୍‌ ସ୍ଥିତି ଲାଗିରହିଛି । ଏବେ ରୁଷ ସେନା ଏଠାରେ ଘରେ ପଶି ଲୁଟୁଛନ୍ତି । ୟୁକ୍ରେନୀୟ ଟିଭି ଚ୍ୟାନେଲ୍‌କୁ ବାର୍ତ୍ତା ଦେଇ କିଏଭ୍‌ ମେୟର ଭିଟାଲି କ୍ଲିସ୍‌କୋ କହିଛନ୍ତି, ଭିତ୍ତିଭୂମିକୁ ଟାର୍ଗେଟ୍‌ କରି ରୁଷ୍‌ ଆତଙ୍କବାଦୀଙ୍କ ଭଳି ଆଚରଣ କରୁଛି । ଏହାକୁ ସାମୂହିକ ହତ୍ୟା ବିବେଚନା କରାଯାଇ ପାରିବ ।

ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ୟୁକ୍ରେନୀୟ ନାଗରିକଙ୍କୁ ଚାହୁଁନାହାନ୍ତି । ସେ କେବଳ ୟୁକ୍ରେନ୍‌ର ଅଞ୍ଚଳ ଉପରେ ଆଖି ପକାଉଛନ୍ତି । ତେଣୁ ଭିତ୍ତିଭୂମି ବ୍ୟବସ୍ଥାକୁ ବାରମ୍ବାର ଆକ୍ରମଣ କରି ରୁଷ୍‌ କେବଳ ନରସଂହାର ରଚୁଥିବା କୁହାଯାଇ ପାରିବ । ରାଜଧାନୀର ଆଉ ଜଣେ ଅଧିକାରୀ କହିଛନ୍ତି, କିଏଭ୍‌ ଯଦି ସମ୍ପୂର୍ଣ୍ଣ ବ୍ଲାକ୍‌ଆଉଟ୍‌ ହୋଇଯାଏ, ତେବେ ଜଳଯୋଗାଣ ଓ ସ୍ୱେରେଜ ବ୍ୟବସ୍ଥା କାମ କରିବା ବନ୍ଦ କରିଦେବ । ଏହାର ପରିଣତି ଭୟଙ୍କର ହେବ । ଏଭଳି କ୍ଷେତ୍ରରେ କିଏଭ୍‌ର ୩୦ ଲକ୍ଷ ବାସିନ୍ଦା ସେମାନଙ୍କ ବନ୍ଧୁ, ପରିଜନଙ୍କ ସହ ଅନ୍ୟଠାରେ ରହିବା ପାଇଁ ଏବେଠୁ ବ୍ୟବସ୍ଥା କରିବା ଅତି ଜରୁରି ହୋଇପଡ଼ିଛି

Leave a Reply

Your email address will not be published. Required fields are marked *