ଦୁଇଦିନିଆ ଓଡିଶାରେ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ପୁରୀ ଯାଇ ମହାପ୍ରଭୁଙ୍କୁ କରିବେ ଦର୍ଶନ

୧୦।୧୧ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଗସ୍ତରେ ଆସି ଆଜି ଭୁବନେଶ୍ବରରେ ପହଞ୍ଚିବେ। ରାଷ୍ଟ୍ରପତି ହେବାପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ଆଜି ସକାଳ ସାଢ଼େ ୯ଟା ସମୟରେ ରାଷ୍ଟ୍ରପତି ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅର୍ନର ପ୍ରଦାନ କରାଯିବ।

ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ପୁରୀ ଯିବେ। ସାଢ଼େ ୧୦ଟାରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବା ପରେ କାରକେଡ୍ ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ଯିବେ ରାଷ୍ଟ୍ରପତି। ଶ୍ରୀମନ୍ଦିରରେ ପାଖାପାଖି ଏକ ଘଣ୍ଟା ରହିବେ ଦ୍ରୌପଦୀ ମୁର୍ମୁ। ମହାପ୍ରଭୁଙ୍କ ଦର୍ଶନ ସାରି ସାଢ଼େ ୧୧ଟାରେ ରାଷ୍ଟ୍ରପତି ସିଂହଦ୍ବାରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ଏବଂ ସେଠାରୁ ସିଧା ରାଜଭବନ ବାହାରିବେ। ୧୨ଟାରେ ରାଜଭବନରେ ପହଞ୍ଚି ସେଠାରେ ସେ ମହାପ୍ରସାଦ ସେବନ କରିବେ ରାଷ୍ଟ୍ରପତି। ଏହାପରେ ଅପରାହ୍ନ ୨ଟା ୧୦ରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିବେ। ଦିନ ୨ଟା ୫୦ରେ ଭୁବନେଶ୍ବରରେ ପହଞ୍ଚି ୩ଟା ୧୫ରୁ ୪ଟା୧୫ଟା ମଧ୍ୟରେ ବିଭିନ୍ନ ଛକରେ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ। ରାଜଧାନୀର ୬ଟି ଭିନ୍ନ ଭିନ୍ନ ସ୍ଥାନରେ ଥିବା ୮ଜଣ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ରାଷ୍ଟ୍ରପତି।

ସେହିପରି ଶୁକ୍ରବାର ରାଷ୍ଟ୍ରପତି ସକାଳ ୯ଟାରୁ ୧୦ଟା ମଧ୍ୟରେ ଖଣ୍ଡଗିରି ତପୋବନ ହାଇସ୍କୁଲ, ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବେ। ଏହାପରେ ସାଢ଼େ ୧୧ଟାରେ ଜୟଦେବ ଭବନରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦର କାର୍ଯ୍ୟକ୍ରମରେ ଯୋଗ ଦେବେ।

ସୁରକ୍ଷା ବ୍ୟବସ୍ଥା ଏବଂ ଟ୍ରାଫିକ ନିୟନ୍ତ୍ରଣ ପାଇଁ ମୋଟ ୩୪ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ତଦାରଖ ପାଇଁ ୪ଜଣ ଡିସିପି ରାଙ୍କର ଅଧିକାରୀଙ୍କ ସମେତ ୨୨ଜଣ ଅତିରିକ୍ତ ଡିସିପି, ୫୬ଜଣ ଡିଏସ୍ ପି, ୬୨ଜଣ ଇନ୍ ସ୍ପେକ୍ଟର ଓ ୨୦୦ଜଣ ଏସ୍ ଆଇ ମୁତୟନ ରହିବେ। ସୁରକ୍ଷା ଦୃଷ୍ଟିରୁ ଡଗ ସ୍କ୍ବାର୍ଡ, ବମ୍ ସ୍କ୍ବାର୍ଡ, ଆମ୍ବୁଲାନ୍ସ, ଫାୟାର ସର୍ଭିସ୍ ମଧ୍ୟ ସାମିଲ ହେବେ। ରାଷ୍ଟ୍ରପତିଙ୍କ ପ୍ରଥମ ଓଡ଼ିଶା ଗସ୍ତ ପାଇଁ ଭୁବନେଶ୍ବରରେ ଅଧାଦିନ ଛୁଟି ଘୋଷଣା ହୋଇଛି। ଆଜି ଦିନ ୧ଟାରୁ ଭୁବନେଶ୍ବର ମହାନଗର(ବିଏମ୍ ସି) ଅଞ୍ଚଳରେ ଏହି ଛୁଟି ବଳବତ୍ତର ରହିବ। ବିଏମ୍ ସିରେ ଥିବା ସମସ୍ତ ସରକାରୀ ଦପ୍ତର ଓ ସରକାରୀ ତଥା ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।

Leave a Reply

Your email address will not be published. Required fields are marked *