ଟି-୨୦ ବିଶ୍ୱକପ୍‌ ଫାଇନାଲ : ଟାଇଟଲ ମୁକାବିଲାରେ ବର୍ଷା ସାଜିପାରେ ବାଧକ

ମେଲବର୍ଣ୍ଣ ୧୨।୧୧ : ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ରବିବାର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ । ଟାଇଟଲ ମୁକାବିଲାରେ ବର୍ଷା ବାଧକ ସାଜିବାର ସମ୍ଭାବନା ରହିଛି । ଏପରିକି, ରିଜର୍ଭ ଡେ’ରେ ମଧ୍ୟ ବର୍ଷା ହେବ ବୋଲି ସ୍ଥାନୀୟ ପାଣିପାଗ ବିଭାଗ ଆକଳନ କରିଛି । ରବିବାର ଓ ସୋମବାର ଦିନ ୯୫ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ରବିବାର ୧୫ରୁ ୨୫ ମିଲିମିଟର ଓ ସୋମବାର ୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ।

ରବିବାର ମ୍ୟାଚ୍‌ ସମ୍ଭବ ନହେଲେ ସୋମବାର ଖେଳାଯିବ ବୋଲି ପୂର୍ବରୁ ଆଇସିସି କ୍ରୀଡ଼ାସୂଚୀରେ ଦର୍ଶାଇଥିଲା । ସ୍ଥାନୀୟ ପାଣିପାଗକୁ ଦେଖି କିଛି ନିୟମାବଳୀ ଲାଗୁ କରାଯାଇଛି । ବର୍ଷା ହେଲେ ଅତି କମ୍‌ରେ ୧୦ ଓଭର ବିଶିଷ୍ଟ ମ୍ୟାଚ୍‌ କରାଯାଇପାରିବ । ୧୦ ଓଭରରୁ କମ୍‌ ଓଭର ଖେଳ ହେବ ନାହିଁ । ରିଜର୍ଭ ଡେ’ରେ ବର୍ଷା ଯୋଗୁ ଖେଳ ସମ୍ଭବ ନହେଲେ ଉଭୟ ଦଳ ଟ୍ରଫି ଭାଗ କରିବେ । ରବିବାର ଦିନ ଖେଳ ଆରମ୍ଭ ହେବା ପରେ ବର୍ଷା ଯୋଗୁ ଆଉ ଖେଳ ସମ୍ଭବ ନହେଲେ ସୋମବର ଦିନ ପରବର୍ତ୍ତୀ ଓଭର ଖେଳ ହେବ । ଉଦାହରଣ ସ୍ୱରୂପ ରବିବାର ମ୍ୟାଚ୍‌ ଆରମ୍ଭ ହୋଇ ଗୋଟିଏ ଇନିଂସର ୫ ଓଭର ଶେଷ ହେବା ପରେ ବର୍ଷା ଯୋଗୁ ଖେଳ ସମ୍ଭବ ନହେଲେ ପରଦିନ ଷଷ୍ଠ ଓଭରରୁ ଖେଳ ଆରମ୍ଭ କରାଯିବ ।

ସୂଚନାଯୋଗ୍ୟ, ୨୦୦୨-୦୩ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍‌ରେ ବର୍ଷା ହେବାରୁ ଉଭୟ ଭାରତ ଓ ଶ୍ରୀଲଙ୍କା ଟ୍ରଫି ଭାଗ କରିଥିଲେ । ୨୦୧୯ ଦିନିକିଆ ବିଶ୍ୱକପ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ସେମି ଫାଇନାଲ୍‌ ମ୍ୟାଚ୍‌ ବର୍ଷା ଯୋଗୁ ୨ ଦିନରେ ଶେଷ ହୋଇଥିଲା ।

Leave a Reply

Your email address will not be published. Required fields are marked *