ଏମ୍ସରେ ସିକ୍ୟୁରିଟି ଗାର୍ଡଙ୍କ ଦବଙ୍ଗଗିରି, ମାଡ଼ ମାରି ଫଟାଇଦେଲେ ଯୁବ ସାମ୍ୱାଦିକଙ୍କ ଜଙ୍ଘ

ଭଲ ଚିକିତ୍ସା ଆଶାରେ ରୋଗୀ ଆସୁଛନ୍ତି ଏମ୍ସ । ରୋଗ ଯନ୍ତ୍ରଣାରୁ ଉପଶମ ମିଳିବ ସେ ଆଶାରେ ଆସନ୍ତି । କିନ୍ତୁ ଏମ୍ସର ମିଳୁଛି ନିର୍ଯାତନା । ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ଉପରେ ହେଉଛି ଅକଥନୀୟ ଜୁଲମ । ତେବେ ଡାକ୍ତର କି ଏମ୍ସରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମଚାରୀ ଜୁଲମ କରୁନାହାନ୍ତି ବରଂ ଏମସ ପରିସରକୁ ଜଗି ରହିଥିବା ସୁରକ୍ଷା କର୍ମୀ ଦେଉଛନ୍ତି ନିର୍ଯାତନା । ସୁରକ୍ଷା କର୍ମୀଙ୍କ ମାଡ଼ରେ ଜଣେ ଯୁବ ସାମ୍ବାଦିକଙ୍କ ଜଙ୍ଘ ଫାଟିଯାଇଛି ।

ଖବର ଅନୁଯାୟୀ ରବିବାର ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ମିନିଟ ସମୟରେ ଜଣେ ଯୁବ ସାମ୍ବାଦିକ ତାଙ୍କର ସମ୍ପର୍କୀୟଙ୍କୁ ଦେଖାଇବା ପାଇଁ  ଆଉଟଡୋର ଟିକେଟ କରିବାକୁ ଲାଇନରେ ଛିଡା ହୋଇଥିଲେ । ଲମ୍ବା ଲାଇନରେ ଶହ ଶହ ରୋଗୀଙ୍କ ସମ୍ପର୍କୀୟ ଛିଡା ହୋଇଥିବାବେଳେ  ଅଶ୍ଳୀଳ ଭାଷାରେ କମ୍ପୁଥିଲା ଚତୁଃପାର୍ଶ୍ବ । ଯେହେତୁ ଭିଡ ଅଧିକ ଥିଲା ଯୁବ ସାମ୍ବାଦିକ ଓ ତାଙ୍କ ଭାଇ ଟିକଟ ଖଣ୍ଡିଏ ପାଇଁ ଅଲଗା ଅଲଗା ଛିଡା ହୋଇଥିଲେ। ଏହି ସମୟରେ ସାମ୍ବାଦିକ ଜଣଙ୍କ ତାଙ୍କ ଭାଇକୁ ଫୋନ କରିବାକୁ ମୋବାଇଲ ବାହାର କରିଥିଲେ। ମାତ୍ର ସୁରକ୍ଷା କର୍ମୀ ଏହାକୁ ଅଲଗା ନଜରରେ ଦେଖିଥିଲେ। ଭାବିଥିଲେ ଯେମିତି ସେମାନଙ୍କ ରାତିଅଧିଆ କାରାନାମା ମୋବାଇଲରେ ରେକଡିଂ ହୋଇଯାଇଛି । ସଙ୍ଗେ ସଙ୍ଗେ ସୁରକ୍ଷା କର୍ମୀଙ୍କ ମୁଣ୍ଡକୁ ପିତ୍ତ ଚଢି ଯାଇଥିଲା ।  କିଛି ନ ବୁଝିସୁଝି ଦେଖାଇଥିଲେ ନିଜର ଦବଙ୍ଗଗିରି । ସଙ୍ଗେ ସଙ୍ଗେ ବାହାରିଥିଲା ତାଙ୍କ ପାଟିରୁ ଅଶ୍ଲୀଳ ଭାଷା । ସେତିକିରେ ଥମି ନ ଥିଲା ନିର୍ଯାତନା । ବେତରେ ପକାଇଥିଲେ ପାହାର।  ଯେଉଁଥିରେ ଯୁବ ସାମ୍ବାଦିକ ଆହତ ହୋଇଥିଲେ । ଏପରିକି ତାଙ୍କ ମୋବାଇଲ ଛଡାଇ ନେଇଥିଲେ ।

ଏଠି ପ୍ରଶ୍ନ ଉଠୁଛି ସିକ୍ୟୁରିଟି ଗାର୍ଡ ରୋଗୀଙ୍କ ସମ୍ପର୍କୀୟଙ୍କୁ ପିଟିବା ଏବଂ ମୋବାଇଲ ଛଡାଇ ନେବା ଭଳି କ୍ଷମତା ଦେଲା କିଏ ?  ସୌଭାଗ୍ୟବଶତଃ ଏହାର ଭିଡିଓ ସେଠାରେ ଉପସ୍ଥିତ ଥିବା ଜଣେ ଲୋକ ରେକଡିଂ କରି ଦେଇଥିଲେ ।  ତେବେ ଯୁବ ସାମ୍ବାଦିକ ଜଣକ ସିକ୍ୟୁରିଟି ଗାର୍ଡଙ୍କ ବିରୋଧରେ ଏ ସମ୍ପର୍କରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ।  ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ପ୍ରତିଶ୍ରୁତି  ମିଳିଛି।

Leave a Reply

Your email address will not be published. Required fields are marked *