ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦, ଦିନ ୧୨ଟାରେ ଖେଳାଯିବ ମ୍ୟାଚ୍, ପାଣ୍ଡ୍ୟାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ଶୁକ୍ରବାର ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ଖେଳାଯିବ । ଉଭୟ ଦଳ ଅଭ୍ୟାସ ଜୋରଦାର କରିଛନ୍ତି । ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଥିବା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସ୍ପଷ୍ଟ କରିଛନ୍ତି । ନ୍ୟୁଜିଲାଣ୍ଡ ଘରୋଇ ପରିବେଶର ଫାଇଦା ଉଠାଇବାକୁ ଲକ୍ଷ୍ୟ ରଖିଛି। ଭାରତୀୟ ସମୟ ଦିନ ୧୨ଟା ବେଳେ ଏହି ମ୍ୟାଚ୍ ଖେଳାଯିବ ।  

ସିନିୟର ଖେଳାଳିଙ୍କ ଅନୁପସ୍ଥିତି ଦଳକୁ ପ୍ରଭାବିତ କରିବ ନାହିଁ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଯୁବ ଦଳ ନିର୍ଭୟରେ ଖେଳିବା ପାଇଁ ଗୁରୁତ୍ୱ ଦେଉଛି । ପ୍ରତ୍ୟେକ ସିନିୟର ଖେଳାଳିଙ୍କ ବିକଳ୍ପ ଏହି ଯୁବ ଦଳରେ ରହିଛନ୍ତି । ସମସ୍ତେ ପୂର୍ବରୁ ନିଜ ନିଜ ଦକ୍ଷତା ପ୍ରମାଣିତ କରିସାରିଛନ୍ତି । ରୋହିତ ଓ ରାହୁଲଙ୍କ ସ୍ଥାନରେ ଇଶାନ କିଷନ ଓ ଶୁଭମନ ଗିଲ୍‌ ଓପନ୍‌ କରିବାକୁ ପ୍ରସ୍ତୁତ । କୋହଲିଙ୍କ ୩ନଂ ସ୍ଥାନ ପାଇଁ ଶ୍ରେୟାସ ଆୟର, ସଞ୍ଜୁ ସାମସନ ଓ ଦୀପକ ହୁଡ଼ାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ।

ଖରାପ ଫର୍ମରେ ଚାଲୁଥିବା ରିଷଭ ପନ୍ତଙ୍କ ଉପରେ ସମସ୍ତଙ୍କ ନଜର ରହିବ । ପନ୍ତ ବିସ୍ଫୋରକ ବ୍ୟାଟିଂ କରିବା ନେଇ କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି । ଟି-୨୦ ବିଶ୍ୱକପ୍‌ରେ ପନ୍ତଙ୍କ ପାଇଁ ଉପଯୁକ୍ତ ସ୍ଥାନ ପ୍ରସ୍ତୁତ କରିବାରେ ଟିମ୍ ମ୍ୟାନେଜମେଣ୍ଟ ବିଫଳ ହୋଇଥିଲା । ସେ ୨ଟି ମ୍ୟାଚ୍‌ ଖେଳିଥିଲେ ହେଁ ସଫଳ ହୋଇପାରି ନଥିଲେ । ଏଥର ତାଙ୍କ ଦକ୍ଷତାର ସଦୁପଯୋଗ କରିବାକୁ ଦଳ ପ୍ରୟାସ କରିବ । ପନ୍ତଙ୍କ ଭଳି ବ୍ୟାଟରଙ୍କୁ ଓପନ୍‌ କରାଇବା ସଠିକ୍‌ ନିଷ୍ପତ୍ତି ହୋଇପାରେ । କିନ୍ତୁ ଡେଥ୍‌ ଓଭରରେ ତାଙ୍କୁ ଖେଳାଇବା ଦୁଃଖର ବିଷୟ । ଅକ୍ଷର ପଟେଲଙ୍କ ସ୍ଥାନରେ ୱାସିଂଟନ ସୁନ୍ଦର ଅଲ୍‌ରାଉଣ୍ଡର ଭାବେ ଖେଳିବେ । ନୂଆ ବଲ୍‌ରେ ବୋଲିଂ କରିବାର କୌଶଳ ସୁନ୍ଦରଙ୍କ ନିକଟରେ ରହିଛି ।

ଘରୋଇ ଦଳ ନ୍ୟୁଜିଲାଣ୍ଡର ପଲା ଭାରି ରହିବ । ଭାରତ ତୁଳନାରେ ଘରୋଇ ଦଳ ମଧ୍ୟ ଅଧିକ ସନ୍ତୁଳିତ । ଅଧିକାଂଶ ଖେଳାଳି ବିଶ୍ୱକପ୍‌ ଖେଳି ଫେରିଛନ୍ତି । କେନ୍ ୱିଲିୟମସନ ଫର୍ମକୁ ଫେରିବାକୁ ସଂଘର୍ଷ କରୁଥିଲେ ହେଁ ଦୁଇ ଓପନର ଡେଭନ କନୱେ ଓ ଫିନ୍ ଆଲେନଙ୍କ ଉପରେ ନଜର ରହିବ । ଏହି ଯୋଡି ମ୍ୟାଚ୍‌ ଫଳାଫଳ ବଦଳାଇ ଦେବାର କ୍ଷମତା ରଖିଛନ୍ତି । ସେପଟେ ଆସନ୍ତାକାଲି ୱେଲିଂଟନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କିନ୍ତୁ ରାତ୍ରିରେ ମ୍ୟାଚ୍‌ ହେଉଥିବାରୁ ବର୍ଷା ପ୍ରଭାବ ପକାଇବ ନାହିଁ । ଟସ୍‌ ବିଜୟୀ ଦଳ ଏଠାରେ ପ୍ରଥମେ ବ୍ୟାଟିଂ କରିବା ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *