ଗୁଜରାଟରେ ସପ୍ତମଥର ପାଇଁ ବିଜେପି ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୂପେନ୍ଦ୍ର ପଟେଲ

 ଗୁଜରାଟରେ ସପ୍ତମଥର ପାଇଁ ସରକାର ଗଠନ କରି ବିଜେପି ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି । ଏହି କ୍ରମରେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟଥର ପାଇଁ ଭୂପେନ୍ଦ୍ରଭାଇ ପଟେଲ ଶପଥ ନେଇଛନ୍ତି । ଏହି ଶପଥ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଅଧ୍ୟକ୍ଷ ଜେ,ପି ନଡ୍ଡା, ରକ୍ଷାମନ୍ତ୍ରୀ ରାଜନାଥ ସିଂ, ସଡକ ଓ ପରିବହନ ମନ୍ତ୍ରୀ ନିତୀନ ଗଡକରୀଙ୍କ ସହ ବିଜେପିର ଅନେକ ବରିଷ୍ଠ ନେତା ଉପସ୍ଥିତ ଥିବାର ଦେଖିବାକୁ ମିଳିଛି । ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଗାନ୍ଧୀନଗର ସଚିବାଳୟ ନିକଟରେ ଥିବା ହେଲିପ୍ୟାଡରେ ଏହି ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ରାଜ୍ୟର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ଭାଇ ପଟେଲ ଶପଥ ନେଇଛନ୍ତି ।

ସୂଚନା ଥାଉକି ଗୁଜରାଟରେ ଚଳିତ ବିଧାନସଭା ନିର୍ବାଚନରେ ବିଜେପି ବହୁମତ ହାସଲ କରିଥିଲା । ଦଳ ଏଥର ସମସ୍ତ ପୂର୍ବ ରେକର୍ଡ ଭାଙ୍ଗି ୧୮୨ ବିଧାନସଭା ଆସନ ମଧ୍ୟରୁ ୧୫୬ ଟି ଆସନରେ ବିଜୟୀ ହୋଇଥିଲା । ଏହାସହ କଂଗ୍ରେସକୁ ୧୭ ଟି ବିଧାନସଭା ଆସନ ମିଳିଥିବା ବେଳେ ଆମ୍ ଆଦମୀ ପାର୍ଟି ମାତ୍ର ୫ ଟି ଆସନରେ ବିଜୟୀ ହେବାକୁ ସକ୍ଷମ ହୋଇଥିଲା ।

ନିର୍ବାଚନ ଫଳାଫଳ ଆସିବା ପରଦିନ ଅର୍ଥାତ ୯ ତାରିଖରେ ପଟେଲ ତାଙ୍କର ପୂର୍ଣ୍ଣ ମନ୍ତ୍ରୀମଣ୍ଡଳ ସହ ଇସ୍ତଫା ଦେଇଥିଲେ । ଏହାପରେ ଦଳୀୟ ବୈଠକରେ ତାଙ୍କୁ ବିଧାୟକଦଳର ନେତା ଭାବେ ନିର୍ବାଚିତ କରାଯାଇଥିଲା । ସେ ତାଙ୍କ ନିର୍ବାଚନ ମଣ୍ଡଳୀରୁ ୧.୯୨ ଲକ୍ଷ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *