ଓକିଲଙ୍କ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ । କହିଲେ, ଯଦି ଓଡ଼ିଶା ପୋଲିସ ପାରୁନି ଜଣାଅ, ପାରାମିଲିଟାରୀ ଫୋର୍ସ ମୁତୟନ କରିବୁ ।

 ଆଇନଜୀବୀଙ୍କ ଆନ୍ଦୋଳନକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ । ଓଡ଼ିଶା ପୁଲିସ ଯଦି ଆନ୍ଦୋଳନ ରୋକିବାରେ ବିଫଳ ହେଉଛି ତେବେ ଆମକୁ ଜଣାଉ । ଆମେ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହାସହ ପୁଲିସ ଡିଜି ଓ ସମ୍ବଲପୁର ଆଇଜିଙ୍କୁ ଭିଡ଼ିଓ କନଫରେନସିଂରେ ବୁଧବାର ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । କାହିଁକି ପୋଲିସ ଆନ୍ଦୋଳନ ରୋକିବାରେ ବିଫଳ ହେଲା ସେବାବଦରେ ସବିଶେଷ ତଥ୍ୟ ମାଗିପାରନ୍ତି ସୁପ୍ରିମକୋର୍ଟ ।

ଏସବୁ ଭିତରେ ଆଜି ସମ୍ବଲପୁର କଚେରୀ ଛକ ରଣକ୍ଷେତ୍ର ପାଲଟିଛି । ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଓକିଲ -ପୁଲିସ । ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବି ନେଇ ଓକିଲ ମାନେ ଆରମ୍ଭ କରିଛନ୍ତି ଆନ୍ଦୋଳନ । ତେବେ ରାସ୍ତା ମଝିରେ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ଜୋରଦାର ଧସ୍ତାଧସ୍ତି ହୋଇଛି । ଚଳିତଥର ଆନ୍ଦୋଳନରେ ଓକିଲ ମାନଙ୍କ ସମର୍ଥନରେ ସାମିଲ ହୋଇଛନ୍ତି ବିଭିନ୍ନ ସଙ୍ଗଠନ । ତା ସହିତ ସମର୍ଥନ ଜଣାଇ ଆନ୍ଦୋଳନ କରିଛନ୍ତି କିନ୍ନର ସଂଘ । ଯେପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାର ଦେଇଛନ୍ତି ଚେତାବନୀ ।

ଅନ୍ୟପଟେ ସମ୍ବଲପୁର ଭଳି ସୁନ୍ଦରଗଡରେ ବି ଓକିଲଙ୍କ ପ୍ରତିବାଦ ଜାରି ରହିଛି । ସୁନ୍ଦରଗଡ କୋର୍ଟ ସମ୍ମୁଖରେ ଧାରଣା ଦେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ଓକିଲ । ଗୋଟିଏ ପଟେ ସୁପ୍ରିମକୋର୍ଟ ଓକିଲଙ୍କ ଉପରେ କଟକଣା ଲଗାଇଥିଲେ । ଆନ୍ଦୋଳନ କଲେ ଲାଇସେନ୍ସ ବାତିଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ହେଲେ ସମସ୍ତ ନିର୍ଦ୍ଦେଶକୁ ବେଖାତିର କରି ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓକିଲ ମାନେ । ଖୁବଶୀଘ୍ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନହେଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *