ତିନିଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତିଙ୍କ ଆଜି ଶେଷଦିନ : ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ

 ଆଜି ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବ । ଯୋଗଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ମୁର୍ମୁ ସର୍କିଟ ହାଉସରୁ ସ୍ୱତନ୍ତ୍ର କାରରେ ତକତପୁର ଗସ୍ତ କରିିବେ । ସେଠାରେ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ମହାମହିମ ରାଷ୍ଟ୍ରପତି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ପୌରହିତ୍ୟରେ ଅନୁଷ୍ଠିତ ହେବାକୁ ଥିବା ସମାବର୍ତନ ଉତ୍ସବରେ ମୁଖ୍ୟ ଅତିଥି ପାଲଟିବେ ରାଷ୍ଟ୍ରପତି । ସମ୍ମାନିତ ଅତିଥି ଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ ।

ସମାବର୍ତ୍ତନ ଉତ୍ସବରେ ମୋଟ ୧୩୨ ଜଣଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ଏହା ଭିତରେ ୮ ଜଣଙ୍କୁ ଡିଲିଟ୍ ଉପାଧି ପ୍ରଦାନ କରାଯିବ । ୯୦ ଜଣ ଗବେଷକଙ୍କୁ ପିଏଚଡି ଓ ୩୪ ଜଣ କୃତି ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ । ଡିଲିଟ୍ ପାଇବାକୁ ଥିବା ୮ ଜଣ ବ୍ୟକ୍ତି ହେଲେ ରାଜଯୋଗିନୀ ବ୍ରହ୍ମକୁମାରୀ କମଲେଶ, କଂଠଶିଳ୍ପୀ ସ୍ୱରୂପା ଚକ୍ରବର୍ତୀ, ଆଦିବାସୀ ସଙ୍ଗୀତ ଗବେଷିକା ଡକ୍ଟର ବୀଣାପାଣି ମହାନ୍ତି, ପ୍ରଶାସକ ତଥା ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, କଳାକାର ନନ୍ଦିତା ଦାସ, କଳାକାର ସଂଗ୍ରାମ କେଶରୀ ମହାନ୍ତି ଏବଂ ସାହ୍ୟିତିକ ଅର୍ଜୁନ ଚରଣ ହେମ୍ବ୍ରମ । ବୈଜ୍ଞାନିକ ଅଶୋକ କୁମାର ଦାସଙ୍କୁ ଡିଏସସି ଉପାଧି ମିଳିବ ।

ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୯ଟା ୫୦ ମିନିଟ୍‌ ସମୟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଇରଙ୍ଗପୁର ଦାଣ୍ଡବୋଷ ହେଲିପ୍ୟାଡ୍‌ରୁ ସ୍ବତନ୍ତ୍ର ହେଲିକ୍ୟାପ୍‌ଟର୍‌ ଯୋଗେ ଉଡ଼ାଣ ଭରି ପୂର୍ବାହ୍ନ ୧୦ଟା ୪୦ ମିନିଟ୍‌ରେ ଯଶିପୁର ଛେଳିଗୋଧୂଳିସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିଥିଲେ । ସେ ପ୍ରସ୍ତୁତ ଥିବା କାର୍‌କେଡ୍‌କୁ ନଯାଇ ପ୍ରୋଟକଲ୍‌ ଭାଙ୍ଗିଥି‌ଲେ ଏବଂ ହେଲିପ୍ୟାଡ୍‌ ଚାରିପାଖରେ ଅପେକ୍ଷାରତ ପ୍ରଶଂସକଙ୍କ ପାଖ‌କୁ ଯାଇଥିଲେ । ବ୍ୟାରିକେଡ୍‌ କଡ଼ରେ ଚାଲିଚାଲି ସମସ୍ତଙ୍କୁ ନମସ୍କାର କରିବା ସହ ଅଭିବାଦନ ଗ୍ରହଣ କରିଥିଲେ ।

ପରେ ସେ ଏକ ସ୍ବତନ୍ତ୍ର ଗାଡ଼ି ଯୋଗେ ତୁଳସୀବଣି ଗେଟ୍‌ ଦେଇ ଶିମିଳିପାଳ ଅଭୟାରଣ୍ୟରେ ପ୍ରବେଶ କରିଥିଲେ । ରାଷ୍ଟ୍ରପତିଙ୍କ ସହ ତାଙ୍କ ମାମୁ ଝିଅ ଭଉଣୀ ଧାନମଣି ମାଝୀ, ଯଶିପୁର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆ, ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ, ପୁଲିସ ଡିଜି ସୁନିଲ କୁମାର ବଂଶଲ, ଶିମିଳିପାଳ କ୍ଷେତ୍ର ନିର୍ଦେଶକ ପ୍ରକାଶ ଚନ୍ଦ୍ର ଗୋଗିନାନୀ ଏବଂ ଉତ୍ତର ଶିମିଳିପାଳ ବନ୍ୟପ୍ରାଣୀ ଡିଭିଜନ୍‌ର ଉପନିର୍ଦ୍ଦେଶକ ସାଇ କିରଣ ଡିଏନ୍‌ ରହିଥିଲେ ।

ରାଷ୍ଟ୍ରପତି ଚହଲାରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଆଦିବାସୀ ପରମ୍ପରା ଅନୁସାରେ ଭବ୍ୟ ସ୍ବାଗତ କରାଯାଇଥିଲା । ପରେ ପ୍ରସ୍ତୁତ ଥିବା ଏକ ସ୍ବତନ୍ତ୍ର ସଫାରି ଯୋଗେ ସେ ବୁଲି ବାହାରିଥିଲେ। ଶାନ୍ତ ଓ ସ୍ନିଗ୍ଧ ପରିବେଶରେ କିଛି ସମୟ ବିତାଇଥିଲେ । ଅଭୟାରଣ୍ୟର ପ୍ରାକୃତିକ ଶୋଭାରାଜିକୁ ମନଭରି ଉପ‌ଭୋଗ କରିଥିଲେ ।

Leave a Reply

Your email address will not be published. Required fields are marked *