ଜମ୍ମୁ ଯିବେ ପ୍ରତିରକ୍ଷା ମନ୍ତ୍ରୀ : ଗ୍ରାଉଣ୍ଡ ଜିରୋରେ ସୁରକ୍ଷା ବ୍ୟବସ୍ଥାର କରିବେ ସମୀକ୍ଷା ; ଗତକାଲି ସହିଦ ହୋଇଥିଲେ ୫ ବୀର ଯବାନ

ଜମ୍ମୁ ଯିବେ ପ୍ରତିରକ୍ଷା ମନ୍ତ୍ରୀ । ରାଜନାଥ ସିଂ ଜମ୍ମୁ ଯାଇ ଗ୍ରାଉଣ୍ଡ ଜିରୋରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ । ରଜୌରୀ ଓ ବାରମୁଲ୍ଲାରେ ସେନା ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ଲାଗିରହିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଜମ୍ମୁ ଗସ୍ତ କରିବେ । ରଜୌରୀର କଣ୍ଡି ଜଙ୍ଗଲରେ ସେନା ଓ ଆତଙ୍କବାଦୀ ମଧ୍ୟରେ ଜାରି ରହିଛି ଗୁଳି ବିନିମୟ । ଏଠାରେ ଏବେବି ଲୁଚି ରହିଛନ୍ତି ଆତଙ୍କବାଦୀ ।

ହେଲିକପ୍ଟର ଜରିଆରେ ସ୍ଥାନୀୟ ଅଞ୍ଚଳ ଉପରେ ନଜର ରଖିଛନ୍ତି ସୁରକ୍ଷାକର୍ମୀ । ସର୍ଚ୍ଚ ଅପରେସନ ମଧ୍ୟ ଜୋରଦାର କରାଯାଇଛି । ଭାରତୀୟ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗତକାଲି ଏହି ସ୍ଥାନରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୫ଜଣ ଯବାନ ସହିଦ ହୋଇଥିଲେ । ରଜୌରୀ ଜିଲ୍ଲା କଣ୍ଡି ଅଂଚଳରେ କିଛି ଆତଙ୍କବାଦୀ ଲୁଚି ରହିିଥିବା ସୂଚନା ମିଳିବା ପରେ ସେନା ଓ ଜମ୍ମୁକଶ୍ମୀର ପୁଲିସ ମିଳିତ ସର୍ଚ୍ଚ ଅପରେସନ କରିଥିଲା । ଜଙ୍ଗଲ ଇଲାକାରେ ସର୍ଚ୍ଚ ଅପେରସନ ଚାଲୁଥିବା ସମୟରେ ସୁରକ୍ଷାକର୍ମୀଙ୍କ ଉପରକୁ ଅର୍ତକିତ ଗୁଳିମାଡ କରିଥିଲେ ଆତଙ୍କବାଦୀ । ଏହାର ପାଲଟା ଜବାବରେ ସେନା ପକ୍ଷରୁ ମଧ୍ୟ ଗୁଳିମାଡ ହୋଇଥିଲା ।

ସେପଟେ ବାରମୁଲ୍ଲାରେ ମଧ୍ୟ ସେନା ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ସନ୍ଦିଗ୍ଧ ଗତିବିଧି ନେଇ ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ କରିଥିଲେ ସୁରକ୍ଷାକର୍ମୀ । ଏତିକି ବେଳେ ସେଠାରେ ଲୁଚି ରହିଥିବା ଆତଙ୍କାବାଦୀ ଗୁଳି ଚାଳନା କରିଥିଲେ । ଏହାର ପାଲଟା ଆକ୍ରମଣରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି । ଲସ୍କର-ଇ-ତୋଏବାର ଜଣେ ଆତଙ୍କବାଦୀ ନିହତ ହୋଇଥିବା ବାରମୁଲ୍ଲା ଏସ୍ଏସ୍ପି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *