୨୯।୧୦ : ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍ର ସୁପର-୧୨ ରାଉଣ୍ଡରେ ଶନିବାର ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ । ଆହତ ଜର୍ଜରିତ ଶ୍ରୀଲଙ୍କା ପାଇଁ ଏହି ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଏଣିକି ଗୋଟିଏ ପରାଜୟ ବିଦାୟ ବାଟ ଫିଟାଇବ । ତେଣୁ ଆଜିର ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ହରାଇ ସେମି ଆଶା ଉଜ୍ଜୀବିତ ରଖିବାକୁ ଶ୍ରୀଲଙ୍କା ସବୁ ଶକ୍ତି ଲଗାଇବ । ଅନ୍ୟ ପଟରେ ଟେବୁଲ୍ ଟପ୍ପର ନ୍ୟୁଜିଲାଣ୍ଡ ଆଧିପତ୍ୟ ଜାରି ରଖିବାକୁ ପ୍ରୟାସ କରିବ ।
ବର୍ଷାର ରାଜୁତି ଓ ଦୁର୍ବଳ ଦଳଙ୍କ ବିପର୍ଯ୍ୟୟ ଯୋଗୁ ଗ୍ରୁପ୍-୧ ବେଶ୍ ରୋମାଞ୍ଚକର ହୋଇ ସାରିଛି । ସେମି ଫାଇନାଲ୍ ଦୌଡରେ ନ୍ୟୁଜିଲାଣ୍ଡ ଆଗୁଆ ରହିଥିଲେ ହେଁ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଓ ଆୟର୍ଲାଣ୍ଡ ପଛକୁ ପଛ ଲାଇନ ଲଗାଇଛନ୍ତି । ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହେବାରୁ ପଏଣ୍ଟ ଭାଗ ହୋଇଥିଲା । ୪.୪୪୫ ରନ୍ ରେଟ୍ ସହ ନ୍ୟୁଜିଲାଣ୍ଡ ଗ୍ରୁପ୍-୧ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି ।

ଶ୍ରୀଲଙ୍କା ପ୍ରଥମ ମ୍ୟାଚ୍ରେ ଆୟର୍ଲାଣ୍ଡକୁ ହରାଇଥିଲେ ହେଁ ପରବର୍ତ୍ତୀ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଥିଲା । ମୋଟ୍ ୨ ପଏଣ୍ଟ ସହ ଶ୍ରୀଲଙ୍କା ପଞ୍ଚମ ସ୍ଥାନରେ ରହିଛି । ଉଭୟ ଗ୍ରୁପ୍ରୁ ୨ଟି ଲେଖାଏଁ ଦଳ ସେମି ଫାଇନାଲ୍କୁ ଉନ୍ନୀତ ହେବେ ତେଣୁ ଆଜିର ମ୍ୟାଚ୍ରେ ବିଜୟ ଜରୁରୀ ।
ନ୍ୟୁଜିଲାଣ୍ଡକୁ ହରାଇବାକୁ ହେଲେ ପ୍ରଥମେ ବ୍ୟାଟିଂ କରି ବଡ ସ୍କୋର କରିବାକୁ ହେବ । ସିଡନୀ ପିଚ୍ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ । ଶ୍ରୀଲଙ୍କାର ଦୁଇ ଓପନର କୁଶଲ ମେଣ୍ଡିସ୍ ଓ ପଥୁମ ନିଶଙ୍କା ଫର୍ମରେ ରହିଛନ୍ତି । ବାକି ବ୍ୟାଟରମାନଙ୍କୁ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିବାକୁ ହେବ । ଶ୍ରୀଲଙ୍କାର ପେସ୍ ବିଭାଗ ଆହତ ସମସ୍ୟା ଭିତରେ ରହିଛି । ଦୁଷ୍ମନ୍ତ ଚାମୀରା, ବିନୁରା ଫର୍ଣ୍ଣାଣ୍ଡୋ, ଦିଲସାନ ମଦୁଶଙ୍କା ଆହତ ହୋଇ ବାଦ ପଡ଼ିସାରିଛନ୍ତି । ତେଣୁ ସ୍ପିନରଙ୍କ ଉପରେ ଦଳ ନିର୍ଭର କରିବ । ୱାନିଣ୍ଡୁ ହସରଙ୍ଗା, ଧନଞ୍ଜୟ ଡି ସିଲଭା, ମହୀଶ ତୀକ୍ଷଣାଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ ।
ନ୍ୟୁଜିଲାଣ୍ଡ ଶ୍ରେଷ୍ଠ ଫର୍ମରେ ରହିଛି । ଡାରିଲ ମିଚେଲ ମଧ୍ୟ ଫିଟ୍ ହୋଇ ଫେରିଛନ୍ତି । ତେଣୁ ଆସନ୍ତା କାଲି ନ୍ୟୁଜିଲାଣ୍ଡର ପଲା ଭାରି ରହିବା ସ୍ୱାଭାବିକ । କିନ୍ତୁ ସିଡନୀରେ ଶ୍ରୀଲଙ୍କା ସର୍ବଦା ଉନ୍ନତ ପ୍ରଦର୍ଶନ କରିଆସିଛି । ତେଣୁ ଆଉ ଏକ ବିପର୍ଯ୍ୟୟ ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବନାହିଁ ।
ଶ୍ରୀଲଙ୍କା : କୁଶଲ ମେଣ୍ଡିସ୍, ପଥୁମ ନିଶଙ୍କା, ଧନଞ୍ଜୟ ଡି ସିଲଭା, ଚରିଥ ଆଶାଲଙ୍କା, ଭାନୁକା ରାଜାପାକ୍ସା, ଡାସୁନ ଶଣକା(ଅଧିନାୟକ), ୱାନିଣ୍ଡୁ ହସରଙ୍ଗା, ଚାମିକା କରୁଣାରତ୍ନେ, ମହୀଶ ତୀକ୍ଷଣା, ପ୍ରମୋଦ ମଦୁସନ, ଲାହିରୁ କୁମାରା ।
ନ୍ୟୁଜିଲାଣ୍ଡ: ଫିନ ଆଲେନ, ଡେଭନ କନୱେ, କେନ ୱିଲିୟମସନ(ଅଧିନାୟକ), ଗ୍ଲେନ ଫିଲିପ୍ସ, ଜେମ୍ସ ନୀଶମ, ମାର୍କ ଚାପମାନ/ଡାରିଲ ମିଚେଲ, ମିଚେଲ ସାଣ୍ଟନର, ଆଇସ ସୋଧି, ଟିମ ସାଉଦି, ଲୋକି ଫର୍ଗୁସନ, ଟ୍ରେଣ୍ଟ ବୋଲ୍ଟ ।