୧୨/୧୦: କେବେ ତୁମେ ନାହଁ କେବେ ମୁଁ ନାହିଁ । ସେ ନାହାନ୍ତି କାହିଁ କେତେଦୂର ଚାଲିଯାଇଛନ୍ତି ସତ କିନ୍ତୁ ସେ ଆକାଶରେ ଧୃବତାରା ହୋଇ ରହି ରାସ୍ତା ଦେଖାଉଛନ୍ତି। ଯେତେଦିନ ପର୍ଯ୍ୟନ୍ତ ଓଡ଼ିଶାର ସଂଗୀତ ସାହିତ୍ୟ ସିନେମା ରହିଥିବ ସେପର୍ଯ୍ୟନ୍ତ ସେ ପ୍ରତିଟି ଓଡ଼ିଆର ହୃଦୟରେ ଚିରକୁମାର ହୋଇ ରହିଥିବେ। କାରଣ ସେ ଅକ୍ଷୟ। ନା କାଳ ନା ସମୟ କେହିବି ତାଙ୍କର କ୍ଷୟ କରିପାରିବେନି ।

ଅକ୍ଷୟ ମହାନ୍ତି ୧୯୩୬ ମସିହା ଅକ୍ଟୋବର ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସଂଗୀତରେ ରୁଚି ତାଙ୍କୁ ପ୍ରାଥମିକ ପରିଚୟ ଦେଇଥିଲା । ଆକାଶବାଣୀରେ ଗୀତ ଗାଇବା ଏବଂ ପରେ ପରେ ଓଡ଼ିଆ ସିନେମାରେ ସେ ପାଦ ଦେଇଥିଲେ। ଆଉ ହୋଇଗଲେ ସଂଗୀତ ଜଗତର ଯାଯାବର। ଗୀତ …. ଗୀତ ଗାଇବା, ଗୀତ ଲେଖିବା ଏବଂ ଏହାକୁ ସ୍ବରରେ ସଜାଇବା ସହିତ ଓଡିଆ ସଂଗୀତର ଏକ ନୂଆ ଧାରା ସୃଷ୍ଟି କରିଥିଲେ ଅକ୍ଷୟ ମହାନ୍ତି।
ପ୍ରଚ୍ଛଦପଟ୍ଟ ସଂଗୀତ ହେଉ, କି ଆଧୁନିକ ଗୀତ, କି ଲୋକଗୀତ ଏବଂ ଭଜନ ଅକ୍ଷୟ ମହାନ୍ତି ନିଜର ପରିଚୟ ଛାଡ଼ିଦେଇଯଇଛନ୍ତି। ଯିଏ ଯେତେ ଶୁଣୁଥିଲା ସେ ସେତେ ପାଖକୁ ପାଖକୁ ଚାଲିଯାଉଥିଲା … ସେହିପରି ଚଳଚ୍ଚିତ୍ରରେ ନିର୍ଦ୍ଦେଶନାରେ ମଧ୍ୟ ସେ ମନୋନିବେଶ କରିଛନ୍ତି। ଅକ୍ଷୟ ମହାନ୍ତି ଜଣେ ଅନୁଷ୍ଠାନ ଥିଲେ। କେବଳ ସଂଗୀତରେ ସେ ସୀମିତ ନଥିଲେ। ସେ ମଧ୍ୟ ସାହିତ୍ୟରେ ଅନେକ ଅଭୁଲା ସ୍ମୃତି ଛାଡ଼ିଯାଇଛନ୍ତି।
ତାଙ୍କର କ୍ଷୁଦ୍ରଗଳ୍ପ, ଆତ୍ମଲିପି ଏବେ ପାଠକକୁ ସମ୍ମୋହନ କରିଥାଏ। ୧୭ ନଭେମ୍ବର ୨୦୦୨ ମାତ୍ର ୬୬ ବର୍ଷ ବୟସରେ ଆରପାରିକୁ ଚାଲିଯାଇଥିଲେ ଅକ୍ଷୟ ମହାନ୍ତି। କିନ୍ତୁ ସେ କେବେବି କୋଟି କୋଟି ଓଡ଼ିଆଙ୍କ ହୃଦୟରୁ ଯାଇପାରିବେନି । ତାଙ୍କ ସ୍ମୃତି ଏମିତି ଝଙ୍କୃତ ହେଉଥିବା ଓଡ଼ିଆଙ୍କ ହୃଦୟରେ। ଯେତିକି ଆହ୍ଲାଦିତ ହେଉଛନ୍ତି ସେତିକି ଯନ୍ତ୍ରଣାରେ ତାଙ୍କୁ ମନେ ପକାଉଛନ୍ତି।